କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ, ଭାଇରାଲ୍ ହେଉଛି ଭିଡିଓ
କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁରଭଳି ଆଚରଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରରେ ।

ରାୟଗଡା(କେନ୍ୟୁଜ): କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରରେ । ଚନ୍ଦ୍ରପୁର ବ୍ଲକ୍ ର ରତନଗୁଡା ଗ୍ରାମର ହରିପୁର ବ୍ରେଡେକାଙ୍କୁ ଗତ ୪ ଦିନ ତଳେ ଏକ ବୁଲା କୁକୁର କାମୁଡି ଦେବା ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ ।
ହେଲେ ଏବେ ସେହି ଯୁବକ ଜଣକ କୁକୁର ଭଳି ଆଚରଣ ଦେଖାଉଥିବା ଦେଖିବାକୁ ମିଳିଛି । ତେଣୁ ପରିବାର ଲୋକେ ପୁଣି ସେହି ଯୁବକଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ପାଇଁ କହିଥିବାବେଳେ, ପରିବାର ଲୋକେ ଦେଶି ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଜିଦ୍ ଧରି ବସିଥିଲେ । ଯାହାକୁ ନେଇ ଡାକ୍ତର ଟିମ୍ ଓ ସ୍ଥାନୀୟ ଲୋକେ ବହୁ ବୁଝାବୁଝି କରି ନାକେଦମ୍ ହୋଇଯାଇଥିଲେ ।
ଶେଷରେ ବାଧ୍ୟ ହୋଇ ଦୀର୍ଘ ସମୟ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଆଜିବି ଚେରମୂଳି ଓ ଗୁଣି ଗାରେଡିକୁ ଅଧିକ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଛନ୍ତି ।
ଡାକ୍ତରଙ୍କ କହିବା ଅନୁସାରେ ଜଳାନ୍ତକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ନିକଟରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କୁକୁର କାମୁଡିବା ରୋଗୀଙ୍କ ଚିକିତ୍ସା କରାନଗଲେ ସେମାନଙ୍କ ପାଖରେ ଏଭଳି ଲକ୍ଷଣ ଦେଖା ଦେଇଥାଏ ।