ଭଞ୍ଜନଗର: ରାତି ଅଧରେ ଚୋର ସନ୍ଦେହରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡି ନିସ୍ତୁକ ମାଡ଼ ଖାଇଥିବା ଜଣେ ବ୍ୟକ୍ତିର ନିଜ ଘରେ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀ ଗାଁରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣକ ପୋଲସରା ଥାନା ଅନ୍ତର୍ଗତ ରାଣୀପଡା ଗାଁର ଗଙ୍ଗା ତାଣ୍ଡି ।
ଉଭୟ କବିସୂର୍ଯ୍ୟନଗର ଓ ପୋଲସରା ଥାନା ପୋଲିସ୍ ର ସୂଚନା ଏବଂ ମୃତକଙ୍କ ସଂପର୍କୀୟଙ୍କ କହିବା ଅନୁଯାୟୀ , ଗଙ୍ଗା ତାଣ୍ଡି ଓ ଆଉ ଜଣେ ସହଯୋଗୀଙ୍କୁ କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଗତ ରାତିରେ ଚୋର ସନ୍ଦେହରେ , ସ୍ଥାନୀୟ କିଛି ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ତେବେ ସହଯୋଗୀ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ଆହତ ଅବସ୍ଥାରେ ଗଙ୍ଗାକୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇ ନିଜ ଘର ପୋଲସରା ଥାନା ରାଣିପଡା ଗାଁରେ ଛାଡିଥିଲା। କିନ୍ତୁ କିଛି ସମୟ ପରେ ଗଙ୍ଗାର ମୃତ୍ୟୁ ହୋଇଥିବା କୁହାଯାଉଛି । ପୋଲସରା ଥାନା ପୋଲିସ ଘରେ ପହଞ୍ଚି ମୃତଦେହକୁ ଜବତ କରି ଆସିକା ମେଡିକାଲରେ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।