ଛାତିଥରା ହତ୍ୟାକାଣ୍ଡ: ଯୁବକଙ୍କୁ ମାରି ବିଚ୍ ରାସ୍ତାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ଢେଙ୍କାନାଳ: ମେଡିକାଲ୍ ପରିସର ଭିତରେ ତଳେ ବସି ଛାତି ଫଟାଇ କାନ୍ଦୁଛନ୍ତି ମହିଳା । ତାଙ୍କର ଦୁଇ ହାତକୁ ଜାବୁଡି ଧରିଛନ୍ତି ଦୁଇ ଯୁବକ । କୋହ ଫଟାଇ ମହିଳା ଜଣକ ଏମିତି କାନ୍ଦୁଛନ୍ତି ଯେ କିଏ ଧର୍ଯ୍ୟ ଧରି ରହିପାରିବ ନାହିଁ । କହୁଛନ୍ତି ମୋ ସୁନାକୁ ଏମିତି ମାରିଦେଲ କାହିଁକି, ମୋ ଛୁଆଙ୍କୁ ଅନାଥ କରିଦେଲ । ମୋ ଛୁଆ କାହାକୁ ବାପା ଡାକିବେ । ମୁଁ କେମିତି ବଞ୍ଚିବି । ସତରେ ଆଜିକା ସମୟରେ ମଣିଷ ଏତେ ସ୍ୱାର୍ଥପର ହୋଇଗଲାଣି ଯେ ନିଜ ସ୍ୱାର୍ଥ ପାଇଁ କାହାର ସଂସାର ଉଜୁଡାଇ ଦବାକୁ ବି କୁଣ୍ଠାବୋଧ କରୁନାହିଁ । ମଣିଷକୁ ପୋକ ମାଛି ଭଳି ବିଚ୍ ରାସ୍ତାରେ ମାରି ଶୁଆଇ ଦେଉଛି । ଏମିତି ଏକ ଛାତିଥରା ଘଟଣା ପୁଣି ସାମ୍ନାକୁ ଆସିଛି ।

ଢେଙ୍କାନାଳରେ ଗତକାଲି ରବିବାର ବିଳମ୍ବିତ ରାତିରେ ଘଟିଥିଲା ଗୁଳିକାଣ୍ଡ । ଗୁଳିକାଣ୍ଡ ପରେ ବି ବଞ୍ଚିଯାଇଥିବା ଜାଣି ଦୁର୍ବୃତ୍ତ ମାନେ ପଥରରେ ଅତର୍କୀତ ଆକ୍ରମଣ କରି ଯୁବକଙ୍କୁ ମାରି ଶୁଅଆଇ ଦେଇଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏହି ଛାତିଥରା ହତ୍ୟାକାଣ୍ଡ । ଯାହା ସୂଚନା ମିଳିଛି ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ମହେଶ୍ୱର ବେହେରା ଓରଫ ଟିଟନ । ଟିଟନଙ୍କୁ ଆକ୍ରମଣ ପରେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ସୂଚନା ଅନୁଯାୟୀ, କାରିଗର ସାହି ବାସିନ୍ଦା ଟିଟନ ରାତି ପ୍ରାୟ ୯ଟା ବେଳକୁ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଗାଡିରୁ ଖସି ପଡ଼ିଥିଲେ । ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡି ଆସିଥିଲେ । ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡି ନେଇ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ପରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏପଟେ ଟାଉନ୍ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । କାରଣ ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଅନ୍ୟପଟର ପୋଲିସ୍ କହିବା କଥା ପୂର୍ବ ଗଣ୍ଡଗୋଳ ଏବଂ ବାଲି ବ୍ୟବସାୟକୁ ନେଇ ଗୁଳିକାଣ୍ଡ କରି ହତ୍ୟା କରାଯାଇଛି । ଘଟଣାକୁ ଗୁରତର ସହ ନେବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ଅତିରିକ୍ତ ଏସ.ପି ସୂର୍ଯ୍ୟମଣୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ତୁରନ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ: ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହେଲେ କର୍ମଚାରୀ, ତଦନ୍ତ କରୁଛି ପୋଲିସ