କଡ଼ା କଟକଣା ଥିବା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ନେଇଥିଲା ମୋବାଇଲ, ଏବେ ଧରାପଡ଼ି ଫଟୋ ଡିଲିଟ୍ କଲା

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିକଟରେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ପରେ ଫଟୋଟି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିଲା । କିନ୍ତୁ ଏବେ ସୋସିଆଲ ମିଡିଆ ଓ ଗଣମାଧ୍ୟମ ସାହାଯ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି । ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇଛି । ଯୁବକ ଜଣଙ୍କ ତୁରନ୍ତ ଫଟୋକୁ ଡିଲିଟ୍ କରିଛନ୍ତି । ସେ ଫଟୋ ଉଠାଇଛନ୍ତି ନା ତାଙ୍କ ପାଇଁ ଆଉ କିଏ ଉଠାଇଛି ସେହି ଘଟଣାର ତଦନ୍ତ ପାଇଁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ଯୁବକ ଜଣକ ମୋବାଇଲ ନେଇ କେମିତି ଗଲେ ? ଶ୍ରୀମନ୍ଦିର ଭିତରକୁ ମୋବାଇଲ ବା କ୍ୟାମେରା ନନେବା ପାଇଁ ଚେକିଂର ବ୍ୟବସ୍ଥା ରହିଛି । କଡ଼ା କଟକଣା ଥିବା ସତ୍ତ୍ୱେ ସେ ମୋବାଇଲ ନେଇ ଶ୍ରୀମନ୍ଦିର ଭିତରକୁ କେମିତି ପ୍ରବେଶ କଲେ ? ଆଉ ଯଦି ବି ପ୍ରବେଶ କଲେ ସେ କଣ ଫଟୋ ଉଠାଇବା ସମୟରେ କେହି ଦେଖି ପାରିଲେନି ? ଏମିତି ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି ।
ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ରୀତିନୀତି ଏବଂ ଦର୍ଶନ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ନଥିବାରୁ ଭକ୍ତଙ୍କ ଗହଳି ମଧ୍ୟ କମ୍ ରହିଛି । ଏପରି ପରିସ୍ଥିତିରେ ହୁଏତ ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ରହି ଯାଇଥିବ ନିଶ୍ଚିତ । ନଚେତ ଏ ଯୁବକଙ୍କର ଏତେ ସାହସ କେମିତି ହେଲା ?
ସୂଚନା ଅନୁସାରେ ଗତ କାଲି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସେବାୟତଙ୍କୁ କଡ଼ା ଚେତାବନୀ ଦେଇଥିଲେ । ରଥ ଉପରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ ସହ ସେବାୟତମାନେ ରଥ ଉପରେ ସେଲଫି ନେଇପାରିବେ ନାହିଁ ବୋଲି ଏସଓପି ଜାରି ହୋଇଛି । ଅରବିନ୍ଦ କହିଛନ୍ତି ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ l କିନ୍ତୁ ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ଜୋର ଧରିଛି । କିନ୍ତୁ ଜିଲ୍ଲା ପୋଲିସ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ସମ୍ପୃକ୍ତ ଯୁବକଙ୍କୁ ଧରିବାରେ ସଫଳ ହୋଇଛି । ଫଟୋ ମଧ୍ୟ ସୋସିଆଲ ମିଡିଆରୁ ଡିଲିଟ୍ ହୋଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।
ଏ ଯୁବକ ଜଣକ ତ ଧରା ପଡ଼ିଲେ । କିନ୍ତୁ ଅତୀତରେ ଏମିତି ଅନେକ ଘଟଣା ଘଟିଥିବାର ନଜିର ରହିଛି । ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଥିବା ଖବର ମଧ୍ୟ ଆପଣମାନେ ଶୁଣିଥିବେ । ପ୍ରଶାସନ ଏ ଦିଗରେ ଯେତେ ପଦକ୍ଷେପ ନେଲେ ମଧ୍ୟ ଲୋକମାନେ ସୁଧୁରୁ ନାହାନ୍ତି । ବେଲଗାମ ଭାବେ ମନ୍ଦିର ଭିତରକୁ ମୋବାଇଲ ନେଉଛନ୍ତି ଆଉ ଏମିତି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ତେବେ ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ଲୋକମାନେ ଏମିତି ଭୁଲ କରିବାରୁ ଦୂରେଇ ରହିବେ ।