ବାପାଙ୍କୁ ଭଲ କରିବାକୁ ଡାକ୍ତରଖାନା ଯାଉଥିବା ସନ୍ତୋଷଙ୍କ ଜୀବନ ଚାଲିଗଲା ଦୁର୍ଘଟଣାରେ

ସ୍କୁଟି ଓ କାର ଧକ୍କା, ଗାଡି ଚୁରମାର । ଏ ସ୍କୁଟିର ଅବସ୍ଥା ଦେଖି ଆପଣ ବୁଝି ସାରିଥିବେ ଯେ ସ୍କୁଟି ଚଳାଉଥିବା ଲୋକଟିର ଅବସ୍ଥା କଣ ହୋଇଥିବ ।

ଭୁବନେଶ୍ୱର ( କେନ୍ୟୁଜ) : ସ୍କୁଟି ଓ କାର ଧକ୍କା, ଗାଡି ଚୁରମାର । ଦେଖନ୍ତୁ ଏ ସ୍କୁଟିକୁ । ଏ ସ୍କୁଟିର ଅବସ୍ଥା ଦେଖି ଆପଣ ବୁଝି ସାରିଥିବେ ଯେ ସ୍କୁଟି ଚଳାଉଥିବା ଲୋକଟିର ଅବସ୍ଥା କଣ ହୋଇଥିବ । ସ୍କୁଟିର ପାର୍ଟ୍ସ ସବୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡିଛି ରାସ୍ତା ଉପରେ । ଖେଳଣା ଗାଡି ଭଳି ଏକଦମ୍ ଭାଙ୍ଗି ରୁଜି ଚୂରମାର ହୋଇଯାଇଛି ସ୍କୁଟି । ଗାଡିକୁ ଦେଖିଲେ ଲାଗୁଛି ଯେମିତି ଏବେ ଏବେ କିଣା ହୋଇଥିଲା । ଆଉ ଏହାର ଚାଳକ ଥିଲେ ଭୁବନେଶ୍ୱରର ସନ୍ତୋଷ । ପଛରେ ବସିଥିଲେ ସାଙ୍ଗ ବିଜୁ ।

କିଏ ଜାଣିଥିଲା ଏମିତି ଭାବରେ ଦୁର୍ଘଟଣାର ଶିକାର ହେବେ ଏ ଦୁଇଜଣ । ଯମ ଭଳି ପଛପଟେ ଆସୁଥିଲା ଏକ କାର । ଆଉ ଠିକ୍ ୟୁଟର୍ନ କଲାବେଳକୁ ଜୋରରେ ଦେଇଥିଲା ଧକ୍କା । ଯାହା ଫଳରେ ସ୍କୁଟି ଚାଳକ ସନ୍ତୋଷ ୧୦୦ ମିଟର ଯାଏଁ ଘୁଷୁଡି ଯାଇଥିଲେ ଦୂରକୁ । ସନ୍ତୋଷଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ୨୨ ବର୍ଷୀୟ ସନ୍ତୋଷ ଥିଲେ ଘରର ଏକମାତ୍ର ରୋଜଗାରିଆ ପୁଅ । ବାପା ଅସୁସ୍ଥ, ଆଉ ଘର ଚଳାଉଥିଲେ ପୁଅ ସନ୍ତୋଷ । ନୀଳାଦ୍ରୀ ବିହାର ହରେକୃଷ୍ଣ ବସ୍ତିରେ ସନ୍ତୋଷଙ୍କ ବାପା ଫାଷ୍ଟଫୁଡ୍ ଦୋକାନ କରିଛନ୍ତି। କିନ୍ତୁ ଅସୁସ୍ଥତା କାରଣରୁ ସନ୍ତୋଷ ରୋଜଗାର କରି ଘର ଚଳାଉଥିଲେ ।

ସୋମବାର ଘଟିଥିଲା ଦୁର୍ଘଟଣା । ଆଜି ଆରପାରିକୁ ଚାଲିଯାଇଛି ସନ୍ତୋଷ, ଯମ ଭଳି ଆସିଥିବା କାର ନେଇଗଲା ସନ୍ତୋଷଙ୍କ ଜୀବନ । ହଁ ଆଜ୍ଞା କାରଟି ସନ୍ତୋଷଙ୍କ ସ୍କୁଟିକୁ ଏମିତି ଭାବେ ଧକ୍କା ଦେଇଥିଲା ଯେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇ ଯାଇଥିଲା । ତୁରନ୍ତ ତାଙ୍କୁ ଓ ତାଙ୍କ ଆହତ ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୀବନ ଯୁଦ୍ଧରେ ହାର ମାନିଗଲେ ସନ୍ତୋଷ । ଆଖି ବୁଜିଦେଲେ ହସ୍ପିଟାଲରେ । ଏପଟେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍କୁଟି ପଛରେ ବସିଥିବା ସାଙ୍ଗ ବିଜୁ ।

ସନ୍ତୋଷଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଘରର ଏକମାତ୍ର ରୋଜଗାରିଆ ପୁଅ ଯେ ଆଉ ଏ ଦୁନିଆରେ ନାହିଁ ତାହକୁ ବିଶ୍ୱାସ କରିପାରୁ ନାହାନ୍ତି ସନ୍ତୋଷଙ୍କ ବାପା ମାଆ । ମାଆ ବୁକୁ ଫଟାଇ କାନ୍ଦୁଛି । କାନ୍ଦି କାନ୍ଦି ଚେତା ହରାଉଛନ୍ତି । ମୋ ପୁଅକୁ ମୋତେ ଫେରାଇଦିଅ… ମୋ ଧନକୁ ମୋତେ ଫେରାଇଦିଅ… ମୋ ପୁଅ ମୋତେ ଛାଡି ଯାଇ ପାରିବନି…ମୋ ପୁଅକୁ କିଏ ମୋତେ ଆଣିକି ଦିଅ…ଏମିତି କହୁ କହୁ ତଳେ ପଡି ଯାଉଛନ୍ତି ଚେତାଶୂନ୍ୟ ହୋଇ । ମନ ବୁଝୁନି ମାଆର । କେମିତି ଏ ବୁଢ଼ା ବାପା ମାଆକୁ ଛାଡି ଚାଲିଯିବ ପୁଅ । ସତରେ ଭଗବାନ କାହିଁକି ଏମିତି ଦୁଃଖ ଦିଅନ୍ତି କେଜାଣି । ବାପା କହୁଥିଲେ ମୋତେ ଭଲ କରିବାକୁ ଆଣିଥିଲା ପୁଅ । ସିଏ ତ ରହିଲାନି । ମୁଁ କଣ ଆଉ ଭଲ ହେବି ?

ଦୁଇ ଶହ ଫୁଟିଆ ରୋଡ଼ରେ ଘଟିଛି ଏହି ଦୁର୍ଘଟଣା । ଏପଟେ ଘଟଣାକୁ ନେଇ ଉତ୍କଳ ହସ୍ପିଟାଲ ପଛରେ ଥିବା ଘରୋଇ ଆପାର୍ଟମେଣ୍ଟ ଆଗରେ ଉତ୍ତେଜନା ଦେଖା ଦେଇଥିଲା । ଧାରଣାରେ ବସିଥିଲେ ଲୋକେ । କାର ମାଲିକଙ୍କୁ ଧରିବାକୁ ଦାବି କରିଥିଲେ । ….ତେବେ ଏସବୁ ଚାଲିଛି କ୍ଷତିପୂରଣ ନେଇ । ହେଲେ ସନ୍ତୋଷ ଆଉ ଫେରିବେନି କି ତାଙ୍କ ପରିବାରର ଯେଉଁ କ୍ଷତି ହୋଇଛି ତାହା କେବେ ଭରଣା ହେବ ନାହିଁ । ହୁଏତ ସନ୍ତୋଷଙ୍କ ଆତ୍ମା ଚିତ୍କାର କରୁଥିବ.. ବାପା ମୁଁ ତୁମକୁ ଭଲ କରି ପାରିଲିନି । ମୋତେ କ୍ଷମା କର ।

ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଘଟୁଛି ଦୁର୍ଘଟଣା । ଅନେକ ଦୁର୍ଘଟଣା ଚାଳକଙ୍କ ଅସାବଧାନତାରୁ ଘଟୁଥିବା ସ୍ପଷ୍ଟ । ଟିକିଏ ସତର୍କ ହେଲେ ବଞ୍ଚି ଯାଆନ୍ତା ଅନେକ ଜୀବନ । ପିଚୁ ରାସ୍ତା ମଣିଷ ରକ୍ତରେ ଲହୁଲୁହାଣ ହୁଅନ୍ତାନି । ଏକଥା କଣ ବୁଝିବାକୁ ଆମେ ଅସମର୍ଥ କି ?