ସ୍ତ୍ରୀର ନିର୍ଯାତନା ନେଇଗଲା ସ୍ୱାମୀର ଜୀବନ, ନ୍ୟାୟ ଦାବିରେ ବୁଢା ବାପା-ମାଆ

ଖୋର୍ଦ୍ଧା: କୋହ ସମ୍ଭାଳି ପାରୁନି ମାଆଟି । କେମିତି ବା ସେ ନିଜକୁ ସମ୍ଭାଳିବ । ତା ଘରର ମଉଡମଣି, ତା ଏକୋଇର ବଳା ବିଶିକେସନ ଆଜି ଏ ଦୁନିଆରେ ନାହିଁ । ମାଆ ବୋଲି ତାକୁ ଆଉ ଡାକିବ । ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ । ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ । ନିଜେ ଦମ୍ଭ ଧରିବ ନା ବୁଢା ବାପାକୁ ସମ୍ଭାଳିବ । ହେଲେ ଏ ମାଆଟିର ପୁଅ ମଲା କେମିତି? ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଖସି ଆସିବ ।

ସ୍ତ୍ରୀର ନିର୍ଯାତନା ସହି ନପାରି, ଚରମ ନିଷ୍ପତି ନେଲେ ଯୁବକ । ସୋସିଆଲ ମିଡିଆରେ ନିଜର ଭିଡିଓ ସେୟାର କରି କହିଲେ ମୃତ୍ୟୁ ପଛର କାରଣ । ହଁ ଆଜ୍ଞା ଯାହାକୁ ଦିନେ ଭଲପାଇ ବାହା ହୋଇଥିଲେ, ଅଗ୍ନୀକୁ ସାକ୍ଷୀ ରଖି ସାତଜନ୍ମର ସାଥୀ କରିଥିଲେ ସେଇ ଜୀବନସାଥି ଯେ ଜୀବନ ନେଇଯିବ ଏକଥା ସେ କଳ୍ପନାରେ ସୁଦ୍ଧା କେବେ ଭାବିନଥିଲେ । ତଥା କଥିତ ପୁରୁଷ ସମାଜରେ ସ୍ତ୍ରୀର ନିର୍ଯାତନା ସହି ନପାରି ମୃତ୍ୟୁର ବାଟକୁ ଆପଣାଇ ନେଲେ ଯୁବକ । ଆଉ ମରିବା ପୂର୍ବରୁ ନିଜ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ ।

ତେବେ ମୃତ ଯୁବକ ଜଣକ ହେଉଛନ୍ତି, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କୁମାର ବସ୍ତ ଗ୍ରାମର ରାମଚନ୍ଦ୍ର ବଡ଼ଜେନା । ଗତକାଲି ରାତିରେ ଧଉଳିମୁହାଁ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଛି ତାଙ୍କର ମୃତଦେହ । ମୃତ୍ୟୁ ପୂର୍ବରୁ ନିଜ ସୋସିଆଲ ମିଡିଆରେ ସ୍ତ୍ରୀର ନିର୍ଯାତନା ନେଇ ଭିଡିଓ ପୋଷ୍ଟ କରିଥିଲେ ରାମଚନ୍ଦ୍ର । ତେବେ ଉକ୍ତି ଭିଡିଓ ଏବଂ ନିଜ ସ୍ତ୍ରୀଙ୍କ ସହିତ ହୋଇଥିବା କଥାବାର୍ତ୍ତାର ଅଡିଓ ଏବେ ବେଶ୍ ଭାଇରାଲ ହେଉଛି । ଏପଟେ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଏପଟେ ଅଭିଯୋଗ ମୁତାବକ, ରାମଚନ୍ଦ୍ର ଓ ରୂପାଲିଙ୍କର ପ୍ରେମ ବିବାହ ହୋଇଥିଲା ଏବଂ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି । କିଛି ବର୍ଷ ଧରି ରୂପାଲି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ଘରୋଇ ଝଗଡ଼ା ଲାଗି ରହୁଥିଲା । ରାମଚନ୍ଦ୍ରଙ୍କ ମାଆ ଅଭିଯୋଗରେ କହିଛନ୍ତି ଯେ, ରୂପାଲି ବାରମ୍ବାର ଘର ଛାଡ଼ି ଲମ୍ବା ସମୟ ପାଇଁ ଚାଲିଯାଉଥିଲେ । ଯଦି ରାମଚନ୍ଦ୍ର ତାଙ୍କ ବାପଘରକୁ ନିୟମିତ ନ ଯାଉଥିଲେ, ତାଙ୍କୁ ଖରାପ ବ୍ୟବହାର କରାଯାଉଥିଲେ । ସେ ଆହୁରି କହିଛନ୍ତି ଯେ, ବାହାଘରର ସମସ୍ତ ଖର୍ଚ୍ଚ ସେମାନେ ବହନ କରିଥିଲେ ଓ ରୂପାଲିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ଦୁଇ ବର୍ଷର ବୈହାହିକ ଜୀବନରେ ସେମାନେ ଅନେକ କଷ୍ଟ ସହିଛନ୍ତି ବୋଲି ଦୁଃଖ ପ୍ରକାଶ କରି ନ୍ୟାୟ ଦାବି କରିଛନ୍ତି ରାମଚନ୍ଦ୍ରଙ୍କ ମାଆ ଓ ବାପା । ସେପଟେ ରୂପାଲି କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସବୁ ଆଡେ ଏବେ ଗୋଟିଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା । ଘରୋଇ ନିର୍ଯାତନାର ଶିକାର ହୋଇ ଏବେ ଅନେକ ପୁରୁଷ ନିଜ ଜୀବନ ହାରି ଦେଉଛନ୍ତି । ସ୍ତ୍ରୀ ଏବଂ ଶାଶୁର ଘର ଲୋକଙ୍କ ଅକଥନୀୟ ନିର୍ଯାତନା ସେମାନଙ୍କ ମୃତ୍ୟୁ ପଛର କାରଣ ପାଲଟୁଛି । ଘରୋଇ ନିର୍ଯାତନା ଏବଂ ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଏବେ ଉଠିଛି ବିରାଟ ପ୍ରଶ୍ନବାଚୀ? ତେବେ ସତ କହିବାକୁ ଗଲେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ପୁରୁଷଙ୍କ ବିରୋଧରେ ଆଇନ୍‌ର ଯେମିତି ଭୁଲ ବ୍ୟବହାର ନହେଉ ସେଥିପ୍ରତି ବି ଯତ୍ନବାନ ହେବାର ନୀହାତି ଆବଶ୍ୟକତା ।

ଆହୁରି ପଢନ୍ତୁ: ଅଧିକ ଯୌତୁକ ଦାବି, ଶାଶୁଘର ଲୋକଙ୍କ ମାଡରେ ବୋହୂ ଗୁରୁତର