ଅତି ନିନ୍ଦନୀୟ ଘଟଣା: ଷଣ୍ଢ ପାଇଁ ବିଛାଯାଇଥିବା କରେଣ୍ଟ ତାର ବାଜି ଚାଲିଗଲା ଯୁବକଙ୍କ ଜୀବନ

ଚାନ୍ଦବାଲି: ହୀନ ମାନସିକତା । ଅତି ନିନ୍ଦନୀୟ । ନିଜ ସ୍ୱାର୍ଥ ପାଇଁ କିଏ କଣ ଏମିତି କରିପାରେ । ଯେତେ ବାରଣ କଲେ ବି ଶୁଣିଲାନି । ନିଜ ଜିଦିରେ ଅଟଳ ରହିଲା । ଆଉ ଶେଷରେ ଚାଲିଗଲା ଜଣେ ନୀରିହ ଲୋକର ଜୀବନ । ସତରେ ଏ ଦୁନିଆରୁ ଯେମିତି ହଜିଗଲାଣି ମାନବିକତା । ମଣିଷ ହେଇବି ଅମଣିଷ ଭଳି ସ୍ୱଭାବ ।
ଏଭଳି କଥା ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ଶୀତଳପୁର ଗାଁରେ । ଗାଈ ଷଣ୍ଢଙ୍କ ଦାଉରୁ ନିଜ ଧାନକୁ ସୁରକ୍ଷିତ ରଖିବାକୁ ଧାନ ଗଦାଡ଼ି ଚାରି ପାଖରେ ଦିଆଯାଇଥିଲା କରେଣ୍ଟ ତାର । ଆଉ ସେଇ କରେଣ୍ଟ ଲାଗି ଚାଲିଗଲା ଜଣେ ଯୁବକଙ୍କର ଜୀବନ । ସତରେ ଭାବିଲେ କେତେ ଦୁଃଖଦାୟକ ଏକ ଘଟଣା । ମଣିଷ ଜୀବନ କଣ ଏତେ ଶସ୍ତା । କାହାର ଏଭଳି ମୁର୍ଖତା ପାଇଁ ଏମିତି ବାଟରେ ପଡି ଚାଲିଯିବ ।
ଅଭିଯୋଗ ମୁତାବକ ଶୀତଳପୁର ଗାଁର କାହ୍ନୁ ପରିଡାଙ୍କ ପୁଅ କାଳିଆ ପରିଡା ନିଜ ଧାନ ଗଦାଡ଼ି ଚାରି ପାଖରେ ଜିଆଇ ତାର ଗୁଡ଼ାଇବା ସହ ଉକ୍ତ ତାରରେ କରେଣ୍ଟ ଦେଇଥିଲା । ଯାହାକୁ କିଛି ଗ୍ରାମବାସୀ ଜାଣିଥିବାବେଳେ କିଛି ଜାଣିନଥିଲେ । ତେବେ ସେହି ରାସ୍ତାରେ ଶୀତଳପୁର ଗାଁର ଯୁବକ ରମେଶ ମଝି ନିଜ ଗାଈକୁ ଖୋଜିବାକୁ ଯାଇଥିବା ସମୟରେ ଉକ୍ତ କରେଣ୍ଟ ତାରଟିକୁ ଧରିପକାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ତେବେ କରେଣ୍ଟ ଲାଗିବା ପରେ ତଳେ ପଡିଯାଇଥିଲେ ରମେଶ । ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ । ତେବେ କିଛି ସମୟ ପରେ ରମେଶଙ୍କୁ ଏଭଳି ଅବସ୍ଥାରେ ପଡିଥିବାର ଦେଖି କିଛି ଗାଁ ଲୋକେ ଉଦ୍ଧାର କରି ଆରଡ଼ି ମେଡିକାଲକୁ ଆଣିଥିଲେ ପରେ ଭଦ୍ରକ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରମେଶଙ୍କ ମୃତ୍ୟୁ ପରେ ଆରଡ଼ି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଂଚି ତାରକୁ ଜବତ କରିବା ସହ କରେଣ୍ଟ ଲଗାଇଥିବା କାଳିଆ ପରିଡାର ବାପାକୁ ଅଟକ ରଖିଛି । ରମେଶଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଗାଁରେ ଖେଳିଯାଇଛି ଶୋକର ଛାୟା । ଏଭଳି ଏକ ଘଟଣାକୁ ସଭିଏଁ ନିନ୍ଦା କରିଛନ୍ତି । ରମେଶଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।