ବେଙ୍ଗାଲୁରୁରୁ ଫେରିବା ପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଜାରି ରହିଛି ତଦନ୍ତ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚିନ୍ତାରେ ପରିବାର । ଟ୍ରେନରେ ପୁଅକୁ ନିଶା ଦେଇ ଲୁଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ନିଶା ପାଇଁ ତାଙ୍କ ପୁଅର ଜୀବନ ଯାଇଛି । ଏବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଘର ଲୋକଙ୍କ ଠାରୁ ଆରମ୍ଭ କରି ସାହି ପଡ଼ିଶା ।
ସୂଚନା ଅନୁସାରେ ବେଙ୍ଗାଲୁରୁରୁ ଟ୍ରେନରେ ଫେରିବା ପରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ଗାଁର ଲୋକନାଥ ସାହୁଙ୍କ ୩୪ ବର୍ଷିୟ ପୁଅ ଗୁରୁଗୋବିନ୍ଦ ସାହୁ ଗତ ଶନିବାର ଦିନ ବେଙ୍ଗାଲୁରୁରୁ ଟ୍ରେନ ଯୋଗେ ଘରକୁ ଫେରୁଥିଲେ । ହେଲେ ଗତକାଲି ସେ ଘରକୁ ଫେରିବା ପରିବର୍ତ୍ତେ ପୁରୀ ରେଳଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଯୁବକ ଜଣକ ବାଉଳି ଚାଉଳି ହେଉଥିବା ଲୋକେ ଦେଖିବାକୁ ପାଇଥିଲେ । ତେଣୁ ତାଙ୍କ ମୋବାଇଲରୁ ଘର ଲୋକଙ୍କୁ ଖବର ଦେଇଥିଲେ ସେଠାକାର ଉପସ୍ଥିତି ଥିବା ଲୋକେ ।
ପୁଅର ଏମିତି ଅବସ୍ଥା ଶୁଣିବା ପରେ ପରିବାର ଲୋକେ ପୁରୀରେ ପହଁଚି ଗୁରୁଗୋବିନ୍ଦଙ୍କୁ ଏକ ଗାଡ଼ିରେ ଘରକୁ ଆଣିଥିଲେ । କିନ୍ତୁ ଆଜି ଘର ନିକଟରେ ପହଁଚିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଅକୁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣଙ୍କ ଟ୍ରେନରେ ଆସିବା ବେଳେ କେହି ଦୁର୍ବୁତ୍ତ ତାଙ୍କୁ ନିଶା ଦେଇ ଜିନିଷପତ୍ର ଓ ଟଙ୍କା ଲୁଟି ନେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ରାଜକନିକା ପୋଲିସକୁ ପରିବାର ଲୋକେ ଜଣାଇବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।
ଯୁବକଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ପରିବାର ଲୋକେ । ପୁଅ ଆସିବ ବୋଲି ଘରେ ଖୁସିର ମାହୋଲ ଥିଲା । କିନ୍ତୁ ଅବେଳରେ ଏମିତି ପୁଅର ଜୀବନ ଯିବ କେହି କେବେ ବି ଭାବିନଥିଲେ । ତେଣୁ ଘଟଣାର ତଦନ୍ତ ପାଇଁ ଏବେ ପରିବାର ଲୋକେ ଦାବି କରିଛନ୍ତି ।