ଢେଙ୍କାନାଳ : କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ନିକଟରେ ବାରହା ଫାଶରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କଙ୍କିଳି ଗ୍ରାମର ମୁଣ୍ଡାସାହିର ସନ୍ତୋଷ ପଧାନ । ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶଶ୍ୱର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗ୍ରାମ କଙ୍କିଳି ଯାଉଥିବା ବେଳେ ବାଉଁଶପାଳ ଗ୍ରାମ ନିକଟରେ ବିଲରେ ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ।
ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଉଁଶପାଳ ଗ୍ରାମ ନିକଟରେ ଅବାଧ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି । ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଥିବା ବାଉଁଶପାଳ ଗ୍ରାମରେ ବର୍ଷର ପ୍ରତ୍ୟେକ ସମୟରେ ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗର ନିରବଦ୍ରଷ୍ଟା, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ସନ୍ତୋଷଙ୍କ ଶବକୁ ପୋଲିସ ଜବତ କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।