ଏଇ ତ ସମ୍ପର୍କ: ଭାଲୁ ପ୍ରେମରେ ପଡିଲା ମଣିଷ

ମାଲକାନଗିରି(କେନ୍ଯୁଜ୍): ସ୍ନେହ-ପ୍ରେମ ଆଗରେ ସବୁକିଛି ହାରମାନେ। ସେ ପଶୁ ହେଉ କି ମଣିଷ ସମସ୍ତେ ଗୋଟିଏ ସମ୍ପର୍କ ସୂତାରେ ବନ୍ଧା। ଏଭଳି ବାତ୍ସଲ୍ୟ ପ୍ରେମରେ ଏକ ଭାଲୁ ଛୁଆକୁ ବାନ୍ଧି ରଖିଛନ୍ତି ଜଣେ ବ୍ଯକ୍ତି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ମଣିଷ-ପଶୁର ଏଭଳି ନିବିଡ ସମ୍ପର୍କ ଦେଖିବାକୁ ମିଳିଛି। ଯେଉଁଠି ଏକ ଭାଲୁ ପ୍ରେମରେ ପଡିଛି ଜଣେ ମଣିଷ। ମାଆ ଛାଡି ଚାଲିଗଲା ହେଲେ ଆଦରି ନେଇଛନ୍ତି ସେ। ଆଲନନ୍ଦ ଗାଁର ଅଜିତ ନରେଟି। ଜଙ୍ଗଲକୁ ଯାଇଥିବାବେଳେ ଅସୁସ୍ଥ ଅବସ୍ଥାରେ ଭାଲୁ ଛୁଆଟିକୁ ଦେଖିଥିଲେ।

ତାପରେ ତାକୁ ଘରକୁ ଆଣି ସେବା ଶୁଶ୍ରୁଷା କରି ମାଆ ଭଳି ଯତ୍ନ ନେଇଥିଲେ। ଅଜିତ ଭାଲୁ ଛୁଆକୁ ହାତରେ ଖୁଆଇ ଦେବା ସହ ତାଙ୍କରି କୋଳରେ ମୁଣ୍ଡ ରଖି ଛୁଆଟି ଶୋଇପଡେ। ଅଜିତଙ୍କ ସେବାରେ ଭାଲୁ ଛୁଆଟି ସୁସ୍ଥ ହୋଇଗଲାଣି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବନବିଭାଗ ତାକୁ ନେବାକୁ ପ୍ରସ୍ତୁତ ହେଲେଣି। ହେଲେ ଭାଲୁ ଛୁଆଠୁ ଅଲଗା ହେବା ଦୁଃଖରେ ଭାଙ୍ଗି ପଡିଛନ୍ତି ଅଜିତ୍।