ଜୋର ଜବରଦସ୍ତ ଘରେ ପଶିଲେ ପଡୋଶୀ: ଛୋଟ ଛୁଆ ସହିତ ସ୍ୱାମୀ,ସ୍ତ୍ରୀଙ୍କୁ ପିଟିଲେ

ଝାରୁସୁଗୁଡା: ଜୋର ଜବରଦସ୍ତ ଘରେ ପଶି ମହିଳାଙ୍କୁ ପିଟିଲେ । ସ୍ୱାମୀ ଏବଂ ଛୁଆଙ୍କୁ ବି ଛାଡିଲେନି । ଭାଙ୍ଗିଦେଲେ ଘରର ସବୁ ସାମଗ୍ରୀ । ଏନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକୁ ନେଇ ଏବେ ଭୟବିତ ଅବସ୍ଥାରେ ଏହି ପରିବାର ।
ସୂଚନା ମୁତାବକ, ବ୍ରଜରାଜନଗର ଅଂଚଳର କବିତା ଘୋଷ । କବିତାଙ୍କର ଅଭିଯୋଗ ଅନୁସାରେ ତାଙ୍କ ପଡ଼ୋଶୀ ଅଜୟ ଘୋଷ ଏବଂ ସମୀର ଘୋଷ ଗତ ୧ ତାରିଖରେ କବିତାଙ୍କର ଘରେ ଜୋର ଜବରଦସ୍ତ ପଶିଥିଲେ । ଘର ସାମଗ୍ରୀ ଭଙ୍ଗାରୁଜା କରିବା ସହିତ କବିତା ଘୋଷ, ତାଙ୍କ ସ୍ୱାମୀ ଏବଂ ଛୋଟ ଛୋଟ ଛୁଆଙ୍କୁ ମାଡ଼ପିଟ କରିଥିଲେ । ଏନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ କରିବା ପରେ ବି ପୋଲିସ୍ ଶୁଣୁ ନଥିବା ନେଇ ଗତକାଲି ସକାଳେ ଝାରସୁଗୁଡା ଏସପିଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି ।
ତେବେ ଅଜୟ ଘୋଷ ଓ ସମୀର ଘୋଷଙ୍କ ପରିବାର ମିଶି ଘର ଭିତରକୁ ଏଭଳି ପଶି କବିତାଙ୍କ ପରିବାର ଲୋକଙ୍କୁ ମାଡ଼ପିଟ କରିବା ସହିତ ଘର ସାମଗ୍ରୀ ଭଙ୍ଗାରୁଜା କରିଥିବା ନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁନଶ୍ଚ ଗତ ୪ ତାରିଖରେ ବ୍ରଜରାଜନଗର ଏସଡ଼ିପିଓ ଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ତଥାପି କିଛି ସୁଫଳ ମିଳିନଥିଲା । ଯାହାଫଳରେ ଗତକାଲି ପୁଣି କବିତା ଏବଂତାଙ୍କ ସ୍ୱାମୀ ଝାରସୁଗୁଡା ଏସପିଙ୍କ ଦ୍ୱାରସ୍ଥ ହୋଇ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ଏଭଳି ଏକ ଅଭାବନୀୟ ଘଟଣା ପରେ ଏବେ କବିତା ଘୋଷଙ୍କର ପରିବାର ଭୟବିତ ଅବସ୍ଥାରେ ରହିଥିବାବେଳେ, ତୁରନ୍ତ ଏହି ଘଟଣାରେ ପୋଲିସ୍ ହସ୍ତକ୍ଷପ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେଉ ବୋଲି ସେ ଗୁହାରୀ କରିଛନ୍ତି । ଏପଟେ ପଡ଼ୋଶୀଙ୍କ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।