୧୭ମାସ ତଳେ ହୋଇଥିଲା ବାହାଘର, ଏବେ ସମସ୍ତଙ୍କୁ ଛାଡି ଆରପାରିରେ ମିଥୁନ

ସୋର:  ଛାତି ଫଟାଇ କାନ୍ଦୁଛି ଏଇ ମାଆ ଜଣକ ।  ଆଖିରୁ ଶୁଖୁନି ଲୁହ । ଶୁଣି ହେଉନି ତାଙ୍କ କୋହ ଭରା କଣ୍ଠର ଏଇ ଦୁଃଖ କଥା । ବଡ ପୁଅକୁ ହରାଇ ଆଜି ମ୍ରିୟମାଣ ମାଆଟି । ଏପଟେ ବୁଢା ବାପା ବି ନନିଜ କୋହକୁ ଅଟକାଇ ପାରୁନାହାନ୍ତି । ଜୀବନ କ୍ଷଣସ୍ଥାୟୀ । କେତେବେଳେ ଯେ ମୃତ୍ୟୁ ଆସିବ ଆଉ କ୍ଷଣିକରେ ସବୁ ଶେଷ କରିଦେଇଯିବ ତାହା କେହି କହିପାରିବେ ନାହିଁ ।

କାନ୍ଥ ରୁ ଲିଭିନି ଶୁଭ ବିବାହର ଚିତା । ମିଥୁନ ସହିତ ମମତା । ହେଲେ ସବୁଦିନ ପାଇଁ ଲିଭି ଯାଇଛି ସ୍ତ୍ରୀ ମଥାର ସିନ୍ଦୁର । ଖୁସିର ସଂସାରରେ ଲାଗିଯାଇଛି କାହା ନଜର । ଘରେ ବୃଦ୍ଧ ବାପା, ସ୍ତ୍ରୀ ଓ କୁନି ପୁଅଙ୍କୁ ନେଇ ଅଳ୍ପ ରୋଜଗାରରେ ଖୁବ୍ ଭଲରେ ଚଳୁଥିଲା ମିଥୁନଙ୍କ ପରିବାର । ହେଲେ ହଠାତ୍ ମାଡି ଆସିଲା ଏହି ପରିବାର ଉପରେ କଳା ବାଦଲ । କର୍କଟ ରୋଗରେ ପୀଡିତ ହେଲେ ମିଥୁନ । ଏହାପରେ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ କରିଥିଲେ ଗୁହାରି । ସହାୟତା ପାଇଲେ ସତ ହେଲେ ଚିକିତ୍ସା ପାଇବା ବେଳକୁ ଆଉ ଦୁନିଆରେ ନଥିଲେ ମିଥୁନ । ଚିକିତ୍ସା ପାଇଁ ମାଗିଥିବା ଟଙ୍କା ଲାଗିଲା ମିଥୁନଙ୍କ ଶୁଦ୍ଧିକ୍ରିୟା ।  ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜାମୁଝାଡ଼ି ଗ୍ରାମ ମଙ୍ଗଳା ସାହିରେ ।

maa

ମଙ୍ଗଳା ସାହିର ଗଣେଶ ଦାସଙ୍କ ବଡ଼ ପୁଅ ମିଥୁନ ଦାସ । ଘରର ବଡ଼ପୁଅ ।  ବଡ଼ପୁଅ ଭାବେ ପରିବାରର ଦାୟିତ୍ୱ ମଧ୍ୟ ମିଥୁନଙ୍କ କାନ୍ଧରେ ଥିଲା । ମିଥୁନଙ୍କ ରୋଜଗାରରେ ଗଣେଶଙ୍କ ପରିବାର ଚଲୁଥିଲା । ବାହାରେ ରହି କାମ କରୁଥିଲେ । କରୋନା ଯୋଗୁଁ ସେ ଗାଁ କୁ ପଳେଇ ଆସି  ପକ୍କା ମିସ୍ତ୍ରୀ ଭାବେ କାମ କଲେ । ଏଇ ୧୭ ମାସ ହେବ ମିଥୁନ ଆଉ ମମତାଙ୍କ ବିବାହ ହୋଇଥିଲା । ବିବାହ ପରେ କିଛି ଦିନ ଖୁସିରେ କଟିଥିଲା । ହେଲେ ହଠାତ ମିଥୁନ ମୁଖ କର୍କଟରେ ଆକ୍ରାନ୍ତ ହେଲେ । ଚିକିତ୍ସା ପାଇଁ ସ୍ତ୍ରୀ ବାପା ପରିବାର ସମସ୍ତଙ୍କର ସୁନା ଅଳଙ୍କାର ସମେତ ଜମି ବିକ୍ରି କରିଦେଇ ଚିକିତ୍ସା କରାଇଥିଲେ ।

ପରିବାର ଲୋକେ ସବୁ କିଛି ଖର୍ଚ୍ଚ କରିସାରିବା ପରେ ଶେଷରେ ସରକାରଙ୍କ ନିକଟରେ ସହାୟତା ଲୋଡିଥିଲେ । ଯୁବ ସାମାଜିକ କର୍ମୀ ଅଜୟ ମହାନ୍ତିଙ୍କ ହସ୍ତକ୍ଷେପ ପରେ ଗତ ନଭେମ୍ବର ୨ ତାରିଖରେ, ଜିଲ୍ଲାପାଳ, ସିମୁଳିଆ ବିଡ଼ିଓ ଓ ତହସିଲଦାରଙ୍କୁ ପତ୍ର ଲେଖିବା ସହ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଥିଲେ । ହେଲେ ଦୁଃଖର ବିଷୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚଳିତ ଡିସେମ୍ବର ମାସ ୫ ତାରିଖରେ ମିଥୁନଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଆସିଥିଲା । ହେଲେ ଗତମାସ ୩୦ ତାରିଖରେ ମିଥୁନ ଙ୍କ ମୃତ୍ୟୁ ଘଟିସାରିଥିଲା । ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଥିବାବେଳେ ସରକାରଙ୍କର ବିଳମ୍ବ ପ୍ରଦାନ ହେତୁ ମିଥୁନ ଚିକିତ୍ସା ପାଇଁ ଆସିଥିବା ଟଙ୍କା ଏବେ ତାଙ୍କ ଶୁଦ୍ଧିକ୍ରିୟାରେ ଲାଗିଥିବା ଜଣାପଡିଛି  ।

ଏପଟେ ମିଥୁନ ପରକରି ଚାଲିଗଲେ ସିନା ହେଲେ ଛାଡି ଦେଇଗଲେ ୬ ମାସର କୁନି ପୁଅଟି ସହ ବିଧବା ପତ୍ନୀ ଏବଂ ବୁଢା ବାପା ମାଆଙ୍କୁ । ଏଇ ଅସହାୟ ପରିବାର ଏବେ ସରକାର ସହାୟତାକୁ ଅନେଇ ବସିଛି । ତେଣୁ ସରକାର ଏହି ଦୁଃଖଦ ସମୟରେ ଯଦି ଏମାନଙ୍କୁ ସାହା ନହେବେ, ତେବେ ଗରିବଙ୍କ ପାଇଁ ଥିବା ସରକାରୀ ଯୋଜନ ସବୁ ପ୍ରହସନ ବୋଲି ମତ  ପ୍ରକାଶ ପାଇଛି ।