ନାବାଳିକା ବଳାତ୍କାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍
କଟକ : ଏକ ନାବାଳିକା ବଳାତ୍କାର ମାମଲାରେ କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ଆସାମୀ ବ୍ରଜବନ୍ଧୁ ବାରିକକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଆସାମୀ ଅଧିକ ଏକ ବର୍ଷ ଜେଲ୍ ଭୋଗିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧୁକରଣକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ଚୌଦ୍ୱାର ଥାନା ଅଞ୍ଚଳରେ ୨୦୨୦ ମସିହାରେ ଏକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା। ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ୨୦୨୦ ଅକ୍ଟୋବର ୮ ତାରିଖରେ ଆସାମୀକୁ ଗିରଫ କରିଥିଲା।
କିନ୍ତୁ ୨୦୨୧ ଜୁନ ୧୧ରେ ଆସାମୀ ଜାମିନ ପାଇଥିଲା। କଟକ ଆଡ଼ହକ ଅତିରିକ୍ତ ଜିଲ୍ଲା ସେସନ୍ସ ଜଜ୍ ତଥା ପୋକ୍ସୋ ଅଦାଲତ ମାମଲାର ବିଚାର କରି ଆସାମୀକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପିପି ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।