ସ୍ତ୍ରୀ ସହ ଶୋଇଥିବା ଅନ୍ୟ ପୁରୁଷକୁ ହତ୍ୟା ମାମଲା, ସ୍ୱାମୀ ଓ ତାର ସହଯୋଗୀକୁ ଆଜୀବନ କାରାଦଣ୍ଡାଦେଶ

କଟକ: ଅନ୍ୟ ପୁରୁଷ ସହ ନିଜ ସ୍ତ୍ରୀ ଶୋଇଥିବା ବେଳେ ସେହି ପୁରୁଷକୁ ହତ୍ୟା ଓ ନିଜ ସ୍ତ୍ରୀକୁ ଆକ୍ରମଣ ଘଟଣାରେ ସ୍ୱାମୀ ଓ ତାର ଅନ୍ୟ ଜଣେ ସହଯୋଗୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ୨୦୨୧ ମସିହା ଜୁନ ୨୦ ତାରିଖରେ ଲକ ଡାଉନ ଚାଲିଥିବା ବେଳେ କାଳନ୍ଦୀ ବିଶ୍ୱାଳର ସ୍ତ୍ରୀ ମାଳତୀ ବିଶ୍ୱାଳ ଅନ୍ୟ ଜଣେ ପୁରୁଷ ସହିତ କଟକ କଲେଜଛକର ଏକ ଦୋକାନ ବରଣ୍ଡାରେ ଶୋଇଥିବାର ଦେଖିଥିଲା ।
କାଳନ୍ଦୀ ବିଶ୍ୱାଳ ନିଜର ସହଯୋଗୀ ରାଜୁ ଗିରି ସହିତ ମିଶି ଏକ ଉଭୟଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମାଳତୀ ଗୁରୁତର ହୋଇ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସନାତନ ଦାସଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମାଲଗୋଦାମ ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା ।
ଦୁଇ ଅଭିଯୁକ୍ତ ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୧୨୦( ବି), ୩୦୭, ୩୪ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ୨୫ ଦଫାରେ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହିତ ଉଭୟଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ୨୧ ଜଣ ସାକ୍ଷୀ ଓ ୨୧ ଟି ଦସ୍ତାବିଜରେ ଦାଖଲ ପ୍ରମାଣକୁ ପାଥେୟ କରି କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ସିନାଲ, ପବ୍ଲିକ ପ୍ରସ୍ୟୁକୂଟର ବିଶ୍ୱଜିତ ବରାଳ ଏହି ମାମଲା ପରିଚାଳନା କରୁଥିଲେ।