ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର : ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର । ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ନବଘନ ପାଟ୍ଟଶାଣୀ ଓରଫ ବାଙ୍କା । ଗତ ୧୭ ତାରିଖରେ ସେ ବରମୁଣ୍ଡାରୁ ନିଜ Fortuner ଗାଡି ଧରି ବାହାରିଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ ।

ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗତ ୨୦ ତାରିଖରେ ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା । ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିଲା । ପ୍ରବଳ ରକ୍ତସ୍ରବ ମଧ୍ୟ ହୋଇଥିଲା । ସେତବେଳେ ଗୋବିନ୍ଦପୁର ପୋଲିସ ତଦନ୍ତ କରି ମଧ୍ୟ ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିଥିଲା । ଏପଟେ ପରିବାର ଲୋକେ ଅଧିକ ଖୋଜାଖୋଜି କରିବା ପରେ ସେହି ମୃତଦେହଟି ନବଘନଙ୍କର ବୋଲି ଜାଣିବାକୁ ପାଇଥିଲେ । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ସେ ମୃତଦେହ ଚିହ୍ନଟ କରିଥିଲେ । ଏବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଟଙ୍କା କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।

 

 

 

 

 

You might also like