ପୁରୁଣା ଶତୃତାର ପ୍ରତିଶୋଧ ନେବା ପାଇଁ ମିଛରେ ଆମ୍ବୁଲାନ୍ସ ଡକାଇ ପୋଲିସ ହାତରେ ବନ୍ଧା ହେଲେ ଯୁବକ

ଅନୁଗୁଳ: ପୂର୍ବ ଶତୃତା ବି ଏମିତି ହୋଇପାରେ । ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପ୍ରତିଶୋଧ ନେବାପାଇଁ ଶେଷରେ ଏତେ ତଳକୁ ଖସିଗଲେ ଯେ ଆମ୍ବୁଲାନ୍ସ ଦମକଳ ଗାଡିର ସହାୟତା ନେବାକୁ ବି ପଛାଇଲେନି । କିନ୍ତୁ ମିଛରେ ଆମ୍ବୁଲାନ୍ସ ଡକାଇବା ତାଙ୍କୁ ପଡିଲା ମହଙ୍ଗା । ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ସୁଶୁବା ଗ୍ରାମପଞ୍ଚାୟତ ପୋଡାଗଡ ଗାଁର ଘଟଣା । ପୋଡାଗଡ ଗାଁ ର ସଞ୍ଜୟ ବେହେରାଙ୍କ ସହିତ ପଡୋଶୀ ଗୋବିନ୍ଦ ଦାସ ନିଜର ପୁରୁଣା ଶତୃତା ଥିଲା । ଏହାକୁ କେନ୍ଦ୍ରକରି ଆଠବର୍ଷ ହେଲା ବାରମ୍ବାର ମିଛରେ ଫୋନ କଲ୍ କରି ଆମ୍ବୁଲାନ୍ସ ଓ ଦମକଳ ଗାଡି ଡକାଇ ଆସୁଥିଲେ ଗୋବିନ୍ଦ ଦାସ ( ଡାକନାମ – ପବନା ) । ତଥାପି ମନର ରାଗ ଶାନ୍ତ ନ ହେବାରୁ ସଞ୍ଜୟଙ୍କ ଝିଅ ନାଁରେ ଗୋବିନ୍ଦ ସୋସିଆଲ ମିଡିଆରେ ବାରମ୍ବାର ଅଶ୍ଳୀଳ ଲେଖା ଛାଡିବା ଆରମ୍ଭ କରି ବଦନାମ କରିବାକୁ ଚେଷ୍ଟା କରୁଥିଲେ ।
ସଞ୍ଜୟଙ୍କ ଝିଅ ଅବିବାହିତା ଏବଂ କଲେଜରେ ପାଠ ପଢୁଥିବା ବେଳେ ସେ ଗର୍ଭବତୀ ଥିବା କହି ସରକାରଙ୍କର ଆମ୍ବୁଲାନ୍ସ ସେବାକୁ ଫୋନକରି ବାରମ୍ବାର ଆମ୍ବୁଲାନ୍ସ ଡକାଇ ହଇରାଣ କରୁଥିଲେ ସଞ୍ଜୟଙ୍କ ପରିବାରକୁ । ଆମ୍ବୁଲାନ୍ସ ମଧ୍ୟ ଆସି ରୋଗୀ ନନେଇ ଫେରିବା ହେତୁ ପୋଡାଗଡ ଗ୍ରାମକୁ ଆମ୍ବୁଲାନ୍ସ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି ଗାଁକୁ ଆମ୍ବୁଲାନ୍ସ ଖବର ପାଇବା ପରେ ମଧ୍ୟ ଆସୁନଥିଲା । ଖାଲି ଏତିକି ନୁହେଁ ଦମକଳ ଗାଡ଼ି ମଧ୍ୟ ଗାଁକୁ ଆସିବା ପାଇଁ ଅରାଜି ହେଉଥିଲେ । ଯେଉଁଥିପାଇଁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ସଞ୍ଜୟ ବେହେରା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କୁନି ବେହେରା ନିଜ ଝିଅ ନାଁରେ ହେଉଥିବା ବଦନାମୀ ସହିନପାରି ନିଷ୍ପତ୍ତି ନେଇଥିଲେ ପୋଲିସର ସହାୟତା ନେବା ପାଇଁ । ପହଞ୍ଚିଥିଲେ ରେଙ୍ଗାଳି ପୋଲିସ ଷ୍ଟେସନରେ ଏବଂ ଏତଲା ଦେଇଥିଲେ ଗୋବିନ୍ଦ ଦାସଙ୍କ ବିରୁଦ୍ଧରେ । ଗୋବିନ୍ଦ ତିରୁପତି ୟୁନିଭର୍ସିଟିରେ ସଂସ୍କୃତରେ PG କରୁଥିବା ହେତୁ, ସେ ପୋଡାଗଡ ଗାଁରେ ରହୁ ନଥିଲେ ତିରୁପତିରେ ରହି ରଚୁଥିଲେ ଏଭଳି ମନ୍ଦ ବୁଦ୍ଧିର ଉପାୟ । ଏପଟେ ପୋଲିସ ସମସ୍ତ ତଥ୍ୟ ସଂଗ୍ରହ କରୁଥିବାବେଳେ ଗୋବିନ୍ଦ ଦାସ ଗାଁକୁ ଆସିଥିବାର ଖବର ପାଇ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟଣାରେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ ଗୋବିନ୍ଦ ।