ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟ୍ରକରେ ଧକ୍କା ଦେଇ ଯୁବକଙ୍କୁ ହତ୍ୟା, ପରିବାର ଲୋକେ ଆଣିଲେ ଅଭିଯୋଗ

ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବୁଚା କଟେଇଠାରେ ଟ୍ରକରେ ଧକ୍କା ଦେଇ ଆଲୋକ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଆଲୋକ ଗାଁରେ କୁକୁଡ଼ା ମାଂସ ବିକ୍ରି କରି ପରିବାର ଚଳାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କତରାପାଲି ଗାଁର ଆଲୋକ ସାହୁ ଓ ସେହି ଗାଁର ଟ୍ରକ ଡ୍ରାଇଭର ସୁଗ୍ରୀ ମାଝୀଙ୍କ ମଧ୍ୟରେ ଗତ ୩ ମାସ ତଳେ କୁକୁଡା ମାଂସର ଟଙ୍କା ଦିଆନିଆକୁ ନେଇ ପାଟି ତୁଣ୍ଡ ହୋଇଥିଲା ।

ସେ ଦିନ ହୋଇଥିବା ସେହି ଘଟଣାକୁ ଆଲୋକ ଭୁଲି ଯାଇଥିଲେ । କିନ୍ତୁ ଟ୍ରକ ଡ୍ରାଇଭର ସୁଗ୍ରୀ ମନରୁ ଲିଭି ନଥିଲା ପ୍ରତିଶୋଧର ନିଆଁ । ତେବେ ଗତକାଲି ସନ୍ଧ୍ୟାରେ ବୁଚା କଟେଇ ଛକ ନିକଟରେ ଥିବା ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ହେଉଥିବା ପ୍ରସ୍ତୁତି ବୈଠକରେ ଯୋଗ ଦେବାକୁ ଯାଇଥିଲେ ଆଲୋକ । ରାତ୍ରୀରେ ବୈଠକ ସରିବା ପରେ ଘରକୁ ଫେରିବା ପାଇଁ ନିଜ ବାଇକରେ ବସୁଥିବା ବେଳେ ପୂର୍ବରୁ ଅନତି ଦୂରରେ ଟ୍ରକ ସହ ଛକି ରହିଥିବା ସୁଗ୍ରୀ ମାଝୀ ଦ୍ରୁତ ଗତିରେ ଆସି ଅଲୋକଙ୍କୁ ଧକ୍କା ଦେଇଥିଲା । ପରେ ସେଠାରୁ ଟ୍ରକ ସହ ଫେରାର ହୋଇଯାଇଥିଲା ସୁଗ୍ରୀ ମାଝୀ  । ବୈଠକରେ ଥିବା ତ୍ରିନାଥ କମିଟିର ସଦସ୍ୟମାନେ ଗୁରୁତର ଆଲୋକଙ୍କୁ ଉଦ୍ଧାର କରି ତୁରନ୍ତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ହିଁ ଆଲୋକଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ ।

ଅଭିଯୋଗ ପାଇବା ପରେ ରିଆମାଳ ପୋଲିସ ତତ୍ପରତା ଦେଖାଇ ଅନୁଗୁଳ ପୋଲିସ ସହ ଯୋଗାଯୋଗ କରି ଅଭିଯୁକ୍ତ ସୁଗ୍ରୀକୁ ଅଟକ ରଖିବା ସହ ଟ୍ରକକୁ ଜବତ କରିଛି । ତେବେ ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ସୁଗ୍ରୀଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସର ତଦନ୍ତ ପରେ ହିଁ ଏ ଘଟଣାର ରହସ୍ୟ ଖୋଲିବ । ଏପଟେ ଆଲୋକଙ୍କ ମ୍ରୁତ୍ୟୁ ପରେ ବେସାହାରା ହୋଇପଡ଼ିଛି ପୂରା ପରିବାର ।