ବାଲିଗୁଡା : ମଣିଷ ଜୀବନ କଣ ଏତେ ଶସ୍ତା? ଏମିତି ବାଟରେ ଘାଟରେ ପଡି ଚାଲିଯିବ । ପ୍ରତିଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । କେଉଁଠି ମାଆ କୋଳରୁ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ମୁଣ୍ଡର ସିନ୍ଦୁର ଲିଭିଯାଉଛି, ଆଉ କେଉଁଠି ସାରା ଜୀବନ ପାଇଁ ବାପ ଛେଉଣ୍ଡ ହୋଇଯାଉଛନ୍ତି କଅଁଳ ଛୁଆ । ହେଲେ ଯଦି ଜାଣିଶୁଣି ବିପଦକୁ ଡାକିବା, ଆଉ ଥରଟେ ବି ଭାବିବାନି କି ଘରେ ଆମ ଫେରିବା ବାଟକୁ ଆମ ପରିବାର ଅପେକ୍ଷା କରି ରହିଛି, ତେବେ କାହାକୁ ବା କଣ କହିବ । ଠିକ୍ ଏମିତି ଏକ ଘଟଣା ଘଟିଛି । କିଛି ସମୟର ଖୁସି ପାଇଁ ସବୁଦିନ ପରିବାରକୁ କନ୍ଦାଇ ଚାଲିଗଲେ ଜଲେ ଯୁବକ ।
ମଦ୍ୟପାନ କରି ଗାଡି ଚାଳନା କରିବା ଯୁବକ ପାଇଁ ହେଲା କାଳ । ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଇ ଗଲା ଯୁବକଙ୍କ ଜୀବନ । ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ସମୟରେ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ପିଟିହେଲା ବାଇକ । ଆଉ ଦେଖୁ ଦେଖୁ ଘଟଣାସ୍ଥଳରେ ହିଁ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ୫୯ ନମ୍ବର ଜାତୀୟ ରାଜପଥ ଫୁଲ ଲଦାଙ୍ଗିଆ ଛକ ନିକଟରେ । ମୃତ ଯୁବକ ହେଲେ କ.ନୂଆଗାଁ ଥାନା ଗସାନାଜୁ ଗାଁର ମାଧବ ମଳିକ ।
ମିଳିଥିବା ସୂଚନା ଅନୁଯାୟୀ ମୃତ ମାଧବ ବାଟାଗୁଡା ସେବାଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ନିଜ ପୁଅକୁ ଦେଖିବା ପାଇଁ କ.ନୂଆଗାଁ ଗସାନାଜୁ ଗାଁରୁ ବାଟାଗୁଡା ଆସିଥିଲେ, କିନ୍ତୁ ପୁଅକୁ ସାକ୍ଷାତ ନକରି ସେବାଶ୍ରମ ବାହାରୁ ହିଁ ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଠାରୁ ଭଲ ମନ୍ଦ ପଚାରି ପଳେଇ ଆସିଥିଲେ । ପରେ ବାଟାଗୁଡାରେ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ବାଇକ ରୁ ପଡି ମଧ୍ୟ ଯାଇଥିଲେ ।
କିଛି ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ ଏପରି ମଦ୍ୟପାନ କରି ଗାଡି ଚାଳନା ନକରିବାକୁ କହିଥିଲେ । କିନ୍ତୁ ବାଟାଗୁଡା ବଜାର ରୁ କୁର୍ତମଗଡ଼ ରାସ୍ତାରେ ଯାଉଥିବା ସମୟରେ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡି ଚଲେଇବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲେ । ଦୋକାନରେ ପିଟି ହୋଇ ସାମ୍ନାରେ ଥିବା କାଠ ବାଡ଼ରେ ଆଘାତ ପାଇ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକ ମଧ୍ୟ ଦେଖି ବେଶ ଭୟବିତ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ କରିବା ସମୟରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।
ତେବେ ବାଲିଗୁଡା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତ ରୁ ଦ୍ରୁତ ଗତିରେ ଗାଡି ଚାଳନା ସହ ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ପ୍ରତିଦିନ ଅନେକ ସ୍ଥାନରେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ, ସଚେତନ ରହୁନାହାନ୍ତି ଗାଡି ଚାଳକ । ଯାହାଫଳରେ ବଳି ପଡୁଛି ବହୁ ମୂଲ୍ୟବାନ ଜୀବନ । ଯେମିତି କି ଫୁଲ ଲଦାଙ୍ଗିଆ ଛକ ରେ ଘଟିଥିବା ଏହି ଦୁର୍ଘଟଣା ।
କିଛି ସମୟର ଖୁସି ପାଇଁ ଅକାଳରେ ଚାଲିଗଲା ଯୁବକଙ୍କର ଜୀବନ । ଅଧୁରା ରହିଗଲା ନିଜ ପୁଅକୁ ସାକ୍ଷାତ କରିବା । ମୃତ ମାଧବଙ୍କ ପୁଅ ମଧ୍ୟ ଶେଷ ଥର ଟିଏ ପାଇଁ ବାପାକୁ ଟିକେ ସାକ୍ଷାତ କରିବାରୁ ବଂଚିତ ହୋଇ ରହିଗଲା । ତେବେ ଏପରି ଏକ ଦୁଖଃଦ ଘଟଣା ପରେ ନିଶାଶକ୍ତ ଅବସ୍ଥାରେ ଓ ଦ୍ରୁତ ଗତିରେ ଗାଡି ଚାଳନା ନ କରିବାକୁ ବାଲିଗୁଡା ପୋଲିସ ପକ୍ଷରୁ ନିବେଦନ କରା ଯାଇଛି ।