ବାପା ସମାନ ଶ୍ୱଶୁରର ଜୀବନ ନେଲା ଜ୍ୱାଇଁ

ଲକ୍ଷ୍ମୀପୁର: ପ୍ରତିଦିନ ଘଟିଚାଲିଛି ଅପରାଧ । ଥମିବାର ନା ଧରୁନାହିଁ । ସ୍ଵାର୍ଥପର ଦୁନିଆରେ ପୋକ ମାଛି ଭଳି ମଣିଷ ମଣିଷର ଜୀବନ ନେଉଛି । ନିଜ ପର କିଛି ବି ଭାବୁନାହିଁ । ତେବେ ପୁଣି ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ଗୋଟେ ବାପା ସବୁ ଦିନ ପାଇଁ ତା ଝିଅକୁ ଟେକି ଦେଇଥାଏ ପର ଘରକୁ । ଝିଅକୁ ଦେଇ ଜ୍ୱାଇଁ ପାଇଥାଏ । ଜ୍ୱାଇଁକୁ ପୁଅ ଭଳି ସ୍ନେହ ମମତା ଦେଇଥାଏ । ଝିଅର ଶଙ୍ଖା ସିନ୍ଦୁରବା ଜ୍ୱାଇଁ । କେମିତି ତାକୁ ସମ୍ମାନ ନଦେବ । ହେଲେ ଯଦି ଝିଅ ଜ୍ୱାଇଁ ଭିତରେ ନପଡିବ, ଏଥିରେ ପରିବାର ବା କଣ କରିପାରିବ?

ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଗଲେ ଶ୍ୱଶୁର । ଝିଅର ଘରୋଇ କଳିକୁ ସମାଧାନ କରୁକରୁ ବାପା ଚାଲିଗଲେ ଆରପାରିକୁ । ଏଭଳି ଏକ ଦୁଃଖଦ ଘଟଣା ପରେ ଭାଙ୍ଗିପଡିଛି ପରିବାର । ଆଜ୍ଞା ବାପା ସମାନ ଶ୍ୱଶୁରର ଜୀବନ ନେଲା ଜ୍ୱାଇଁ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟକର ଘଟଣା । ଜ୍ୱାଇଁର ଆକ୍ରମଣରେ ଶ୍ୱଶୁରର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଗୁରୁତର ହୋଇଥିବା ଭଳି ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି । ପାରିବାରିକ କଳହର କରୁଣ ପରିଣତି । କିଛି ପାରିବାରିକ ସମସ୍ୟାକୁ ନେଇ ଏପରି ଘଟଣା ଘଟିଥିବା କହିଛନ୍ତି ସାନ ଝିଅ । ତେବେ ମୃତକ ହେଉଛନ୍ତି ତଳଚମ୍ପି ଗାଁର ଲୋଚନ ବୈପାରି ।

ସୂଚନା ମୁତାବକ, ଗୋଟିଏ ବର୍ଷ ତଳେ ଲୋଚନଙ୍କ ବଡ ଝିଅ ଝଲାଗୁଡା ଗାଁର କୃଷ୍ଣ ଯାନୀଙ୍କୁ ବିବାହ କରିଥିଲେ । ବିବାହ ପରେ ପାରିବାରିକ ଅଶାନ୍ତି କାରଣକୁ ଉଭୟ ସ୍ଵା ସ୍ତ୍ରୀଙ୍କ ଭିତରେ ଭଲ ପଡୁନଥିଲା । ଯାହାକୁ ନେଇ ଝିଅ  ବାପା ଘରେ ରହି ଆସୁଥିଲେ । ତେବେ ଏହାକୁ ନେଇ ଅତିଷ୍ଠ ହୋଇ ଶେଷରେ ଜ୍ୱାଇଁ ନେଇଛି ପ୍ରତିଶୋଧ। ପୂର୍ବରୁ କୁଆଡେ ନିଜ ସ୍ତ୍ରୀ ଧମକ ଦଉଥିଲା । ଯଦି ତୁ ଘରକୁ ନ ଆସିବୁ ତାହେଲେ ତୋ ଘର ଲୋକଙ୍କୁ ମାରିଦେବି । ଆଉ ଶେଷ ସେୟା ହିଁ କଲା । ରାକ୍ଷସ ପାଲଟିଗଲା ଜ୍ୱାଇଁ ।

ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁର ଓ ସ୍ତ୍ରୀ ରହୁଥିବା ଘରକୁ ଆସି ପହଁଚିଗଲା । ପ୍ରଥମେ ଘର ଉପରକୁ ଢେଲା ପଥର ମାଡ଼ କରିଥିଲା । ତାପରେ ଶ୍ୱଶୁରକୁ ଘରୁ ଡାକି ଆଣି ବିଚ୍ ରାସ୍ତାରେ ଅତର୍କୀତ ଆକ୍ରମଣ କରି ଜୀବନ ନେଇଯାଇଥିବା ନେଇ ସୂଚନା ମିଳିଛି ।

ଏପଟେ ଏହା ଶୁଣିବାକୁ ମିଳିଛି କି, ଘଟଣା ସ୍ଥଳରେ ହିଁ ଲୋଚନଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଶୂ ବଦିଲି ବୈପାରିଙ୍କୁ ମଧ୍ୟ ଆକ୍ରମଣ କରିଥିଲା ସୈତାନ ଜ୍ୱାଇଁ । ଏହି ଖବର ପାଇ ଲକ୍ଷ୍ମୀପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ବଦିଲି ବୈପାରୀଙ୍କୁ ମେଡିକଲାରେ ଭର୍ତ୍ତି କରିଥିଲେ । ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି । ଅଭିଯୁକ୍ତ ଜ୍ୱାଇଁ ସହ ଦୁଇ ସହଯୋଗୀକୁ ଅଟକ ରଖିଥିବା ବେଳେ, ଫେରାର ଥିବା ଆଉ ଜଣକୁ ଖୋଜୁଛି ପୋଲିସ୍ ।

ଦିନକୁ ଦିନ ହଜିଗଲାଣି ମାନବିକତା । ସମାଧାନର ବାଟ ନ ଖୋଜି ଆପଣାଉଛି ଅପରାଧର ବାଟ । କରିବସୁଛି ଏମିତି କାଣ୍ଡ ଯାହା ଏ ସମାଜ ପାଇଁ ଗ୍ରହଣୀୟ ନୁହେଁ । ତେବେ ଏଭଳି  ଜ୍ୱାଇଁକୁ ଯେତେ ଦଣ୍ଡ ଦେଲେ ବି କମ୍ ପଡିବ ।