ନାତିର କାଠଫାଳିଆ ମାଡ଼ରେ ଚାଲିଗଲା ଜେଜେମାଆ ଜୀବନ, ମାଆ ଗୁରୁତର

କାମାକ୍ଷାନଗର: ବୀଭତ୍ସ ହତ୍ୟା ! ମଦ ପିଇବାକୁ ଟଙ୍କା ନଦେବାରୁ ନାତି ପାଲଟିଲା ପିଶାଚ । ଭୁଲିଗଲା ରକ୍ତ ସମ୍ପର୍କ । ଜୀବନ ନେଲା ନିଜ ଜେଜେମାଆର । ମାଆକୁ ବି ଆକ୍ରମଣ କରିବାକୁ ପଛାଇଲାନି । କଙ୍କଡାହାଡ଼ ଥାନା ବାଲିସାହି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି । ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ମାଆ । ଗୁରୁତର ଅବସ୍ଥାରେ ମାଆ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ।
ସୂଚନା ଅନୁସାରେ କଙ୍କଡାହାଡ଼ ଥାନା ବାଲିସାହି ଗ୍ରାମର ଲିକୁ ସିଂହ ନାମକ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ନିଜ ଜେଜେମା ଶ୍ରୀମତୀ ବେୱାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ଲିକୁ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ କାଠଫାଳିଆରେ ଜେଜେମାଆଙ୍କୁ ଅତର୍କୀତ ଆକ୍ରମଣ କରିଥିଲା । ମାଡ଼ ମାରିବା ପରେ ଏତିକିରେ ଲିକୁର ମନ ଶାନ୍ତି ହୋଇନଥିଲା । ଜେଜେମା ଉପରେ ଚଢି ଡେଇଁବାକୁ ଲାଗିଥିଲା ଲିକୁ । ଫଳରେ ଘଟଣାସ୍ଥଳରେ ଜେଜେମାଆଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଶାଶୁକୁ ବଞ୍ଚାଇବାକୁ ଯାଇ ଲିକୁର ମାଆ ଚମ୍ପା ସିଂହ ପ୍ରତିରୋଧ କରିବାବେଳେ ସେ ମଧ୍ୟ ଆକ୍ରମଣର ଶୀକାର ହୋଇଛନ୍ତି । ତାଙ୍କ ଛାତି ଓ ପିଠିରେ ଗଭୀର ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ସେ ଭର୍ତ୍ତି ହୋଇଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଏହି ଅଭାବନୀୟ ଘଟଣା କଙ୍କଡାହାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବଇରି ସାଜିଲା ନାତି । ଭୁଲିଗଲା ସବୁ ସମ୍ପର୍କ । ସାମାନ୍ୟ କିଛି ଟଙ୍କା ପାଇଁ ଜୀବନ ନେଇଗଲା ବୁଢୀ ଜେଜେମାଆର । ତେବେ ଏଭଳି କୁଳାଙ୍ଗାର ନାତିକୁ ଗିରଫ କରିବା ସହ ତୁରନ୍ତ ତା ବିରୋଧରେ କଠୋର ରୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି ଜୋର ଧରିଛି ।