ରେଢ଼ାଖୋଲ: ଦୁର୍ବୁତ୍ତ ଆକ୍ରମଣରେ ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ଏବେ ଅନାଥ ହୋଇଗଲେ ୩ ଛୁଆ । ଜୀବନ ମୃତ୍ୟୁ କଣ ବୁଝିବା ପୂର୍ବରୁ ୩ ଛୁଆଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା ମା’ଙ୍କ ହାତ । ରେଢ଼ାଖୋଲ ଥାନା ଘୁଷୁରାମାଳ ପଞ୍ଚାୟତ ପାଣ୍ଡ୍ରିଶୀଳା ଗ୍ରାମରେ ଘଟିଛି ଏମିତି ଅଘଟଣ । କେହି ଜଣେ ଦୁର୍ବୁତ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଜଣାପଡ଼ିଛି । ଏଭଳି କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ଦୁର୍ବୁତ୍ତ । ଗତକାଲି ରାତିରେ ଖାଇ ସାରି ସ୍ୱାମୀ ଆଭାରମ କୁଜୁର ଓ ସ୍ତ୍ରୀ କୁଆଁରୀ କୁଜୁର ଶୋଇଥିବା ବେଳେ ରାତି ପ୍ରାୟ ୯.୩୦ ସମୟରେ କେହି ଜଣେ ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲା । ସ୍ୱାମୀ ବାହାର ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ତାକୁ ପ୍ରଥମେ ଆକ୍ରମଣ କରିଥିଲା ପରେ ଘରେ ଶୋଇଥିବା ସ୍ତ୍ରୀଙ୍କୁ ଆକ୍ରମଣ କରିବା ସମୟରେ ସ୍ତ୍ରୀ କୁଆଁରୀ ଚିତ୍କାର କରି ଉଠିଥିଲେ । ଚିତ୍କାର ଶବ୍ଦ ଶୁଣି ପରିବାର ଦୌଡ଼ି ଆସିଥିଲେ । କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା । ଘରେ ପଡ଼ିଥିଲା ଦୁଇ ଦୁଇଟି ମର ଶରୀର । ଏଭଳି ଦୃଶ୍ୟ ଦେଖିବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
ସୂଚନା ଥାଉ କି ପରିବାର ଲୋକ ମହିଳାଙ୍କ ଭିଣେଇ ତିର୍କା କାର୍ମାଙ୍କୁ ସନ୍ଧେହ କରୁଛନ୍ତି । କାହିଁକି ନା ଶାଳୀ ଘରେ ଆସି ବାରମ୍ବାର ଝଗଡା କରୁଥିଲା ଭିଣେଇ । ଘଟଣା ସ୍ଥଳରେ ରେଢ଼ାଖୋଲ ଆଇ.ଆଇ.ସି ସବିତା ଲତା ସେଠି ଏବଂ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପହଞ୍ଚି ତଦନ୍ତ ଚଳାଇଛନ୍ତି ।