ଅନୈତିକ ସମ୍ପର୍କର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ଜୀବନରୁ ମାରିଲେ ସ୍ୱାମୀ ଓ ଦିଅର

ଘଟଗାଁ: ସ୍ତ୍ରୀ ଦେଉଥିଲା ପର ପୁରୁଷକୁ ଦେହସୁଖ । ଯାହାକୁ ସହିପାରିଲାନି ସ୍ୱାମୀ । ଆଇନକୁ ହାତକୁ ନେଇ ଘଟାଇଲା ଅପରାଧ । ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ସ୍ୱାମୀ ଓ ଦିଅର । ଏଭଳି ଏକ ଛାତିଥରା ଘଟଣା ଘଟିଛି ଘଟଗାଁ ଥାନା ପାଣୁପଶି ଗ୍ରାମରେ । ଅଭିଯୁକ୍ତ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କଲା ଘଟଗାଁ ପୋଲିସ୍ ।
ତେବେ ଦୁଇ ଭାଇ ହେଲେ ପାଣୁପଶି ଗ୍ରାମର ପ୍ରଶାନ୍ତ ନାୟକ ଏବଂ ଅଜୟ ନାୟକ । ଗାଁର ସୁବ୍ରତ ମହାକୁଡ ନାମକ ଜଣେ ଯୁବକ ସହ ସ୍ତ୍ରୀର ଶାରୀରିକ ସମ୍ପର୍କ ଥିବା ଜାଣିବା ପରେ ସ୍ୱାମୀ ଓ ଦିଅର ମିଶି ଏହି ହତ୍ୟା କରିଥିବା ସ୍ଵୀକାର କରିଛନ୍ତି ।
ସୂଚନା ଅନୁସାରେ, ପାଣୁପଶି ଗ୍ରାମର ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ସହିତ ମୃତ ସୁବ୍ରତ ବିଗତ ବର୍ଷେ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏନେଇ ଅନେକ ଲୋକ ଆସି ପ୍ରଶାନ୍ତଙ୍କୁ ବାରମ୍ବାର ଜଣାଇଥିଲେ । ଯାହାକୁ ନେଇ ଲୋକଲଜ୍ଜାରେ କିଛି ଦିନ ହେବ ପ୍ରଶାନ୍ତ ବାହାରକୁ ପଳାଇଥିଲେ । ହେଲେ ଗତ କିଛି ଦିନ ହେବ ସେ ପୁଣି ଫେରିଥିଲେ ଗାଁକୁ ।
ଗାଁକୁ ଫେରିବା ପରେ ସ୍ତ୍ରୀର ଚରିତ୍ରରେ କୌଣସି ସୁଧାର ଆସିନଥିଲା । ଏପଟେ ପ୍ରେମିକ ସୁବ୍ରତ ବି ବାରମ୍ବାର ପ୍ରଶାନ୍ତଙ୍କୁ ଧମକ ଚମକ ଦେଇ ଆସୁଥିଲା । ଯାହାକୁ ଆଧାର କରି ଗତ ୧୨ ତାରିଖ ସନ୍ଧ୍ୟାରେ ପ୍ରଶାନ୍ତ ଓ ସୁବ୍ରତ ଭିତରେ ପ୍ରଥମେ ଫୋନରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସୁବ୍ରତ ଆସି ପହଁଚିଥିଲା ପ୍ରଶାନ୍ତଙ୍କ ଘରେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ହାତାହାତି ହୋଇଥିଲା । ସେହି ସମୟରେ ପ୍ରଶାନ୍ତ ଏବଂ ତାଙ୍କ ସାନ ଭାଇ ଅଜୟ ଦୁଇ ଭାଇ ମିଳିତ ଭାବେ ଏକ ଲୁହା ରଡ଼ ଏବଂ ଟାଙ୍ଗିଆରେ ସୁବତ୍ରକୁ ହତ୍ୟା କରିଥିଲେ ।
ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ଦୁଇ ଭାଇ । ସକାଳୁ ଏନେଇ ଗାଁ ଲୋକେ ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟପକ୍ଷରେ ଦୁଇ ଭାଇଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଗାଁ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ପ୍ରଶାନ୍ତ ସବୁ ଦୋଷକୁ ନିଜ ମୁଣ୍ଡକୁ ନେଇଛନ୍ତି ।