ଓଟିପି ଦେଇ ହରାଇଲେ ୯୦ ଲକ୍ଷ ଟଙ୍କା, ସାଇବର ଠକାମୀର ଶିକାର ହେଲେ ଯୁବକ

କେନ୍ଦୁଝର: ବଢ଼ିଚାଲିଛି ସାଇବର କ୍ରାଇମ୍ । ମୋବାଇଲ୍ ଓଟିପି ଜରିଆରେ ହ୍ୟାକର୍ସମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ସାଇବର ଠକାମୀର ଶିକାର ହୋଇଥିବା ଲୋକମାନେ କେବଳ ଅନୁତାପ କରନ୍ତି । ଜଣେ ଯୁବକ ହୋଇଛନ୍ତି ସାଇବର ଠକାମୀର ଶିକାର । ଖାଲି ଠକାମୀର ଶିକାର ହୋଇଛନ୍ତି ତାହା ନୁହେଁ ସେ ୯୦ ଲକ୍ଷ ଟଙ୍କା ହରାଇଛନ୍ତି ।
ଏକ ଆପ୍ରେ ଭାରତୀୟ-ଜିମ୍ବାୱେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ରେ ଟିମ୍ ଗଠନ କରି ଖେଳୁଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ କଇଥଗଡ଼ିଆ ଗ୍ରାମର ଦେବୀପ୍ରସାଦ ବିଶ୍ବାଳ । ମ୍ୟାଚ୍ ଶେଷ ହେବାବେଳକୁ ସେ ଏକ ନମ୍ବରରେ ରହିବା ସହ ୯୦ ଲକ୍ଷ ଟଙ୍କା ଜିତିଥିବା ନେଇ ମେସେଜ ଆସିଥିଲା । ହଠାତ୍ ତାଙ୍କୁ ହ୍ବାଟସଆପ୍ରେ ଏକ କଲ୍ ଆସିବା ସହ ଜଣେ ବ୍ୟକ୍ତି ତାଙ୍କୁ ଓଟିପି ମାଗିଥିଲେ। ସେ କହିଥିଲେ ଯେ ଓଟିପି ଗଲା ଦିଅ, ଓଟିପି ଦେଲେ ଟଙ୍କା ତୁମ ୱାଲେଟ୍ କୁ ଯିବ। କିନ୍ତୁ ଓଟିପି ଦେବାପରେ ଦେବୀପ୍ରସାଦଙ୍କ ଆଇଡି ହ୍ୟାକ ହୋଇଯାଇଥିଲା। ଦେବୀପ୍ରସାଦଙ୍କ ଟିମ୍ (ଡିଆର୍ବିପିଡିଆର୍) ବଦଳରେ କୁନାଲ ୨୭୧୦ ନାମକ ଅନ୍ୟ ଟିମ୍ ଏକ ନମ୍ବରକୁ ଚାଲିଯାଇଥିଲା । ବାରମ୍ବାର ସେହି ନମ୍ବରରେ ଯୋଗାଯୋଗ କରିବା ପରେ ତାଙ୍କୁ ୧୯୫୦ଟଙ୍କା ଜମା କଲେ ତୁମ ଆଇଡି ଖୋଲିବା ସହିତ ଟଙ୍କା ସୋ କରିବ ବୋଲି ହ୍ୟାକର କହିଥିଲା। ତେଣୁ ଦେବୀପ୍ରସାଦ ୧୯୫୦ଟଙ୍କା ଜମା କରିଥିଲେ । କିନ୍ତୁ ପରେ ନା ଆଇଡି ଖୋଲିଥିଲା ନା ଟଙ୍କା ଆସିଥିଲା। ଫଳରେ ଦେବୀପ୍ରସାଦ ୯୦ ଲକ୍ଷ ଟଙ୍କା ଜିତିଥିଲେ ମଧ୍ୟ ତାଙ୍କ ହାତକୁ ଟଙ୍କାଟିଏ ବି ଆସିନଥିଲା । କ୍ଷଣିକରେ ତାଙ୍କର ସମସ୍ତ ଖୁସି ହଜିଗଲା । ଏହାପରେ ଦେବୀପ୍ରସାଦ ବାରମ୍ବାର ଉକ୍ତ ନମ୍ବରକୁ ଫୋନ କରିଥିଲେ ବି ତାହା ସୁଇଚଅଫ୍ ହୋଇଯାଇଥିଲା । ଫଳରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
ବାରମ୍ବାର ଏମିତି ଠକାମୀକୁ ନେଇ ଖବର ଆସୁଛି । ଏନେଇ ଲୋକମାନଙ୍କୁ ସତର୍କ କରାଯାଉଥିଲେ ମଧ୍ୟ କେହି ସତର୍କ ହେଉ ନାହାନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ନିରୀହ ଜନ ସାଧାରଣ । ଆପଣ ଯଦି ଏମିତି ଠକାମୀରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଫୋନରେ ଆସୁଥିବା କୌଣସି ମେସେଜକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ନାହିଁ । ଅଜଣା ଲୋକଙ୍କୁ ଓଟିପି ଭଳି ନମ୍ବରକୁ ଆଦୌ ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ କଲ ଆସିଲେ ରିସିଭ କରନ୍ତୁ ନାହିଁ । ଏଭଳି ଭାବେ ଆପଣ ହ୍ୟାକର୍ସଙ୍କ ଜାଲରୁ ନିଜକୁ ବଞ୍ଚାଇ ପାରିବେ ।