ହ୍ୟାକର୍ସଙ୍କ ଜାଲରେ ଫସିଲେ ବ୍ୟକ୍ତି, ହରାଇଲେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଅନୁଗୋଳ : ସାଇବର ଠକେଇର ଶିକାର ହେଉଛନ୍ତି ଅନେକ ଲୋକ । ହ୍ୟାକର୍ସମାନେ ମୋବାଇଲ୍ ମାଧ୍ୟମରେ ଏମିତି ଜାଲ ବିଛାଉଛନ୍ତି ଯେ ସାଧାରଣ ଲୋକ ସେହି ଜାଲରେ ଫସି ଯାଉଛନ୍ତି ଆଉ ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ସହ ଘଟୁଛି । ମୋବାଇଲକୁ କିଛି ଲିଙ୍କ ଆସିଲେ ଲୋକମାନେ ଏଥିରେ କ୍ଲିକ୍ କରନ୍ତି ଆଉ ହଠାତ ଆକାଉଣ୍ଟରୁ ଗାୟବ ହେବାକୁ ଲାଗେ ଟଙ୍କା । ଟଙ୍କା ଲୁଟିବା ପାଇଁ ହ୍ୟାକର୍ସମାନେ ବିଭିନ୍ନ ପ୍ଲାନ୍ କରନ୍ତି । ଆଉ ଥରେ ଯିଏ ସେ ପ୍ଲାନରେ ଫସେ ହ୍ୟାକର୍ସଙ୍କ ଠାରୁ ମୁକୁଳିବା କଷ୍ଟ ହୋଇପଡ଼େ ।
ନିକଟରେ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହୋଇଛି । ଜଣେ ବ୍ୟକ୍ତି ସାଇବର ଠକାମୀର ହୋଇଛନ୍ତି ଶିକାର । ହ୍ୟାକର୍ସମାନେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫ ଲକ୍ଷ ୨୭ହଜାର ୩୯୭ଟଙ୍କା ଲୁଟି ନେଇଛନ୍ତି । ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ହୋଇଛନ୍ତି ଠକାମୀର ଶିକାର । ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ଜମା ଥିବା ବେଳେ ଗତକାଲି ସକାଳ ପ୍ରାୟ ୯-୩୫ ମିନିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଏକାଧିକ ଥର ତାଙ୍କ ଆକାଉଣ୍ଟରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କଟି ଯାଇଛି । କୌଣସି ଅଜଣା ଫୋନକଲରେ କୌଣସି ଡାଟା ଦେଇନଥିବା ସହ କାହାକୁ ବି OTP ସେୟାର କରିନାହାନ୍ତି ଚଣ୍ଡିକା । କିନ୍ତୁ ତାଙ୍କ ଫୋନକୁ ହ୍ୟାକକରି ହ୍ୟାକର୍ସ ଟଙ୍କା ଲୁଟିନେଇଥିବା ସନ୍ଦେହ କରିଛନ୍ତି ଚଣ୍ଡିକା । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଚଣ୍ଡିକାଙ୍କ ଆକାଉଣ୍ଟରୁ ଏତେ ଟଙ୍କା କେମିତି ଗାୟବ ହେଲା ତାର ତ ତଦନ୍ତ ଚାଲିଛି । କିନ୍ତୁ ଆପଣଙ୍କ ମୋବାଇଲ ଫୋନକୁ ଯଦି କୌଣସି ଅଜଣା ନମ୍ବରରୁ କଲ୍ ଆସୁଛି ତେବେ ଆପଣ ସାବଧାନ ରୁହନ୍ତୁ । ମୋବାଇଲରେ ଆସୁଥିବା ଓଟିପିକୁ କାହା ସହ ବି ସେୟାର କରନ୍ତୁ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆସୁଥିବା ଲିଙ୍କ୍ କୁ ଭୁଲରେ ବି କ୍ଲିକ୍ କରନ୍ତୁ ନାହିଁ । କାହିଁକି ନା ହ୍ୟାକର୍ସମାନେ ମୋବାଇଲ ଦ୍ୱାରା ହିଁ ଟଙ୍କା ଲୁଟିବା ପାଇଁ ପ୍ଲାନ୍ କରନ୍ତି । ଯଦି ଆପଣ ସଚେତନ ହେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହେବ ନାହିଁ ।