ବିଧବା ଭାଉଜଙ୍କୁ ବିବାହ କଲେ ସାନ ଦିଅର, ସୃଷ୍ଟି କଲେ ଉଦାହରଣ

ବାଙ୍କୀ(କେନ୍ୟୁଜ୍):  ବର୍ତ୍ତମାନ ସମାଜରେ ଏମିତି ଦିଅର ଖୁବ କମ୍ ଦେଖିବାକୁ ମିଳିବେ। ନିଜର ବିଧବା ଭାଉଜଙ୍କୁ ବିବାହ କରି ଦିଅର ଜଣକ ସୃଷ୍ଟି କରିଛନ୍ତି ଏକ ଉଦାହରଣ । ମନ୍ଦିରରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ବେଦିରେ ବସି ନିଜ ଭାଉଜ ମଥାରେ ସିନ୍ଦୁର ଦେଇ ପତ୍ନୀ ରୂପେ ଗ୍ରହଣ କରିଛନ୍ତି ସାନ ଦିଅର। ନିଜ ବୋହୂକୁ ପୁଣି ସଧବା ଭାବେ ଘରର ଆଣିବା ଲକ୍ଷ୍ୟରେ ଭାଇ ଭଉଣୀ ଓ ପରିବାରର ସଦସ୍ୟ ମାନଙ୍କର ଏହି ଉଦ୍ୟମକୁ ସାରା ବାଙ୍କିରେ ପ୍ରଶଂସା କରାଯାଇଛି।

ବାଙ୍କୀ-ଡ଼ମପଡା ବ୍ଲକର ରଗଡି ଗ୍ରାମର ପରମାନନ୍ଦ ବାରିକ ଙ୍କ ଚାରିପୁଅ । ସେମାନଙ୍କ ମଧ୍ୟରୁ ତୃତୀୟ ପୁଅ ବିଜୟ କୁମାର ବାରିକ ଲିଲି ବାରିକଙ୍କୁ ସାତ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ପୁଅ ବିଜୟବାରିକ ଓଡିଶା ହାଇଦ୍ରୋପାୱାର କର୍ପୋରେସନରେ ଚାକିରି କରିଥିଲେ। ସୁଖରେ ସଂସାର ଚାଲିଥିଲା । ହେଲେ ମହାମାରୀ କରୋନାରେ ଗତଦୁଇ ବର୍ଷ ତଳେ ବିଜୟ ବାରିକଙ୍କର ଦେହାନ୍ତ ହେବା ପରେ ବୋହୂ ଲିଲି ବିଧବା ହୋଇ ଯାଇଥିଲେ। ତାଙ୍କର ଏବେ ଗୋଟିଏ ପାଞ୍ଚ ବର୍ଷର ପୁତ୍ର ସନ୍ତାନ ଅଛି। ଯୁବା ଅବସ୍ଥାରେ ଆର ପାରିକି ଚାଲିଯାଇଥିବା ବିଜୟ ବାରିକଙ୍କ ଚାକିରରେ ଲିଲି ଏବେ କାର୍ଯ୍ୟରତ। ଅସହାୟ ଲିଲି ତିନି ବର୍ଷର ପୁଅକୁ ଧରି ଏକାକୀ ରହୁଥିଲେ।

ସେପଟେ ପରମାନନ୍ଦଙ୍କର ଚତୁର୍ଥ ତଥା ସାନ ପୁଅ ଅରୁଣ ବାରିକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଭାଉଜ ଓ ଛୋଟ ପୁଅଙ୍କ ଏଅବସ୍ଥା ଦେଖି ଅନ୍ୟତ୍ର ବିବାହ ନ କରି ଭାଉଜଙ୍କୁ ବିବାହ କରି ସବୁ ଦିନ ପାଇଁ ଏକାଠି ରହି ଘର ସଂସାର କରିବାକୁ ମନସ୍ଥ କଲେ। ସବୁ ଭାଇ ଭଉଣୀ ପୂର୍ବରୁ ଦେଇଥିବା ବିବାହ ପ୍ରସ୍ତାବକୁ ଗ୍ରହଣ କରିଥିଲେ ଉଭୟେ ଅରୁଣ ଓ ଲିଲି। ବାଙ୍କୀ ସ୍ଥିତ ମା ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ବନ୍ଧୁବାନ୍ଧବ, ପରିବାରବର୍ଗ ଙ୍କ ସହମତି ରେ ଯଥା ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଆଜିକାଲି ଯୁବକମାନେ ନିଜ ନିଜ ସୁଖରେ ବ୍ୟସ୍ତ ରହୁଥିବା ବେଳେ, ବଡ଼ ହୋଇଯିବା ପରେ ଡିଜିଟାଲ ଯୁଗରେ ବାଛୁଛନ୍ତି ମନ ପସନ୍ଦର ଜୀବନସାଥି। ମନ ପସନ୍ଦର ଯୁବତୀଙ୍କୁ ବିବାହ କରିବା ଚିନ୍ତା ଧାରାରେ ରହି କରୁଛନ୍ତି ନିଜର ସଂସାର। ବିବାହ ପରେ ନିଜର ଭାଇ ଭାଉଜଙ୍କ କଥା ଦୁରେ ଥାଉ ନିଜ ଜନ୍ମକଲା ବାପା ଓ ମାଙ୍କୁ ପଚାରୁ ନାହାନ୍ତି ଆଜିର ଯୁବପିଢ଼ି। ହେଲେ ଗ୍ରାମର ଅରୁଣ ବାରିକ ଏ କ୍ଷେତ୍ରରେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏ ନିଷ୍ପତ୍ତି ଓ ଚିନ୍ତାଧାରକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ। ଭାଉଜଙ୍କୁ ବିବାହ କରି ନୂଆ ସଂସାର ପାଇଁ ତାଙ୍କୁ ଶହେ ସଲାମ।

Leave A Reply

Your email address will not be published.