ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ଆଖି ବୁଜିଲେ ବାପା ପୁଅ, ଜୀବନ ସହ ସଂଘର୍ଷ କରୁଛି ମାଆ

ଛତ୍ରପୁର: କେମିତି ସମ୍ଭାଳି ହୋଇରହିବ ଏ ପରିବାର । ଆଖି ସାମ୍ନାରେ ବାପା ପୁଅ ଦୁଇ ଦୁଇ ଜଣ ଶୋଇଗଲେ ଚିରନିଦ୍ରାରେ । ହାତ ଧରାଧରି ଚାଲିଗଲେ ଏକାସମୟରେ । ଆଉ ଜୀବନ ସହ ଏବେ ହସ୍ପିଟାଲ୍ ବେଡ୍ ରେ ସଂଗ୍ରାମ କରୁଛି ମାଆ । କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ,ବନ୍ଧୁ, କୁଟୁମ୍ବକୁ ସାଥିରେ ନେଇ ଆସେ । ସତରେ ଭାରି ହୃଦୟ ବିଦାରକ ଏ ଘଟଣା । ଏଭଳି ଖବର ଶୁଣି ସମସ୍ତଙ୍କ ଆଖିରେ ଲୁହ । କେହି ବି ସମ୍ଭାଳି ପାରୁନାହାଁନ୍ତି ।

ଘଟଣା ଘଟିଛି ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ । ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ସମେତ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ମୁତାବକ, ମୋହନ ରାୟଗୁରୁ ଏବଂ ତାଙ୍କ ପତ୍ନୀ ଗାୟତ୍ରୀ ରାୟଗୁରୁ, ପୁଅ ତ୍ରୟମ୍ବକମ୍ ଏକ ବାଇକରେ କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ତିଛୀଣୀ ଗ୍ରାମରୁ କୌଣସି ଏକ କାମରେ ୟୁଡିଏସପୁର ଗ୍ରାମକୁ ଯାଉଥିବା ବେଳେ, ମାଡିଆସିଲା ଜମ । ହଠାତ୍ ଅରୁଣପୁର ଗ୍ରାମ ନିକଟରେ ରମ୍ଭାରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ମୋହନଙ୍କ ଗାଡିକୁ ଧକ୍କା ଦେଇଥିଲା । ଯାହାଫଳରେ ତଳେ ପଡିଯାଇଥିଲେ ବାପା, ମାଆ ଓ ପୁଅ ।

ସମସ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ପୁଅ ତ୍ରୟମ୍ବକମ୍ ଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ମାଆଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁର ମେଡ଼ିକାଲରେ ବାପା ମୋହନ ରାୟଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣାପରେ ଅରୁଣପୁର ଗ୍ରାମରେ ଖେଳିଯାଇଛି ଶୋକର ଛାୟା । ମୃତକଙ୍କ ପରିବାର ବର୍ଗଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରୋକ କରିଛନ୍ତି l ଘଟଣା ସ୍ଥଳରେ ହୁମ୍ମା ଓ ରମ୍ଭା ପୋଲିସ୍ ସମେତ ଏମଭିଆଇ ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି । ତେବେ ରାଜ୍ୟରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ବେପାରୁଆ ଗାଡି ଚାଳନା, ଅସାବଧାନତା ପାଇଁ ଗଡୁଛି ଅନେକ ମୁଣ୍ଡ । ଯେତେ ସଚେତନ କଲେ ସୁଦ୍ଧା କମିବାର ନା ହିଁ ଧରୁନି ।