କଲେଜ ସାରି ଘରକୁ ଫେରୁଥିଲେ ଛାତ୍ରୀ କିନ୍ତୁ କଣ ହେଲା କେଜାଣି ହଠାତ ଚରମ ପଦକ୍ଷେପ ନେବା ପାଇଁ ଉଦ୍ୟମ କଲେ । ଘରୁ ଖାଇ ପିଇ କଲେଜେ ଯାଇଥିଲେ କିନ୍ତୁ ଏମିତି ନିଷ୍ପତି କାହିଁକି ନେଲେ ? କଣ ଏମିତି ହୋଇଗଲା ଯେ ସିଧା ଉଛୁଳା ନଈ ଭିତରେ ପଡିଗଲେ । କଲେଜ ଛାତ୍ରୀ ଜଣକ ସିନା ଏମିତି ପଦକ୍ଷେପ ନେବାକୁ ବାହାରିଥିଲେ । କିନ୍ତୁ କଥାରେ ନାହିଁ ରଖେ ହରି ତା ମାରେ କିଏ ? ଛାତ୍ରୀଙ୍କ ଏଭଳି କାମ ଦେଖି ସାଙ୍ଗ ମାନେ ଚଳେଇବାକୁ ଲାଗିଲେ କିଏ ଅଛ ଧାଇଁ ଆସରେ ଆମ ସାଙ୍ଗ ବୁଡିଗଲା । ତାକୁ କେହି ଉଦ୍ଧାର କର । ଏମିତି ଚିତ୍କାର ଶୁଣି ପାଖରେ ଥିବା ଏହି ଯୁବକଙ୍କ ଜଣକ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ଉଦ୍ଧାର ପାଇଁ । ନିଜ କଥା ଟିକେ ବି ଭାବିଲେନି । ଆଉ ନିଜ ଜୀବନକୁ ବାଜି ଲଗାଇ ସିଧା ଉଛୁଳା ନଈକୁ ଲମ୍ଫ ମାରିଲେ । ଆଉ ତାଙ୍କର ଚେଷ୍ଟା ବି ବିଫଳ ହେଲାନି । ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହେଲେ ଯୁବକ ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳରେ ଘଟିଛି ଏମିତି ଅଭାବନୀୟ ଘଟଣା । ନିକଟସ୍ଥ କଲେଜର +୩ ଛାତ୍ରୀ କଲେଜ ସାରି ଘରକୁ ଫେରୁଥିବା ବେଳେ ପସୁଲୁଣ୍ଡା ସ୍ଥିତ ଗୋବରୀ ପୋଲ ଉପରୁ ଉଛୁଳା ପାଣିରେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଅନ୍ୟ ଛାତ୍ରୀମାନେ ଦେଖି ଡାକ ପକାଇବାରୁ ନିକଟରେ ଥିବା ସ୍ଥାନୀୟ ଗଙ୍ଗପୁରା ଗାଁର ଯୁବକ କ୍ଷୀରୋଦ ଜେନା ଦୌଡ଼ି ଆସି ଛାତ୍ରୀକୁ ଉଦ୍ଧାର କରିବା ପାଇଁ ନଦୀକୁ ଡେଇଁ ଥିଲେ । ଛାତ୍ରୀଟି ବୁଡି ଯାଉଥିବା ବେଳେ କ୍ଷୀରୋଦ କୌଶଳ କରି ଗାମୁଛାରେ ତାର ହାତକୁ ବାନ୍ଧି ପହଁରି ପହଁରି କୂଳକୁ ଆଣିଥିଲେ । ସେତେବେଳକୁ ଛାତ୍ରୀ ଜଣକ ପାଣି ପି ଅଚେତ ହୋଇପଡିଥିଲେ । ତୁରନ୍ତ କୁଆଁପାଳ ଦମକଳ ବାହିନୀ କର୍ମଚାରୀ ସେଠାରେ ପହଂଚି ଆହତ ଛାତ୍ରୀଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସ୍ଛା ନିମନ୍ତେ ନେଇଥିଲେ । ଛାତ୍ରୀଙ୍କ ଘର ସ୍ଥାନୀୟ କାଳିଅଣ୍ଟି ଗାଁର ବୋଲି ଜଣାପଡ଼ିଛି । ତେବେ କଣ ପାଇଁ ଛାତ୍ରୀ ଜଣଙ୍କ ଏଭଳି କରିବାକୁ ଚେଷ୍ଟା କରିଥିଲେ ତାହା ଜଣା ପଡ଼ିନାହିଁ ।
ଛାତ୍ରୀ ଜଣକ କାହିଁକି ଏମିତି କଲେ ତାହା ତ ଜଣା ନାହିଁ । କିନ୍ତୁ ଏମିତି ନିଷ୍ପତି ନେବା କେତେ ଯେ ବଡ ଭୁଲ ତା ନକହିବା ଭଲ । ମାନସିକ ଦୁଶ୍ଚିନ୍ତା ଥିଲେ ସାଙ୍ଗ ସାଥି ବାପା ମା ଙ୍କୁ ଜଣାନ୍ତୁ କିନ୍ତୁ ଏଭଳି ନିଷ୍ପତ୍ତି ଭୁଲରେ ମଧ୍ୟ ନିଅନ୍ତୁ ନାହିଁ ।