ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର, ଉଠାଇ ନେଇଥିଲେ ଶଳା

ନୟାଗଡ଼ : ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର । ସାଙ୍ଗମାନଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରିଥିଲେ ତାଙ୍କ ପତ୍ନୀଙ୍କ ଭାଇ । ମାଡ଼ ମାରି ଲହୁଲୁହାଣ ବି କରିଥିଲେ । ଅପହରଣର ୫ଘଣ୍ଟା ପରେ ଉଦ୍ଧାର କଲା ନୟାଗଡ଼ ଟାଉନ୍ ଥାନା ପୋଲିସ । ବିବାହକୁ କେନ୍ଦ୍ର କରି ଅପହରଣ ହୋଇଥିଲେ ଯୁବକ । ଏହି ଘଟଣାରେ ୪ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅପହରଣର ହୋଇଥିବା ଯୁବକ ହେଲେ ନୂଆଗାଁ ଥାନା ନିଳାଦ୍ରିପୁର ଗାଁର ଦିନବନ୍ଧୁ ସେଠୀ ।
ସୂଚନା ଅନୁସାରେ ଦିନବନ୍ଧୁ କେନ୍ଦୁପଲ୍ଲି ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଇ କୋର୍ଟ ବିବାହ କରିଥିଲେ । ଯୁବତୀଜଣଙ୍କ ଏବେ ବିଏସ୍ଏଫ୍ ରେ କାର୍ଯ୍ଯରତ ଅଛନ୍ତି। କିନ୍ତୁ ଯୁବତୀଙ୍କ ଭାଇ ମାନସ ନାୟକ ଏହି ବିବାହକୁ ବିରୋଧ କରି ଆସୁଥିଲେ । ଶୁକ୍ରବାର ଦିନବନ୍ଧୁ ନୟାଗଡ ସହରରେ ନିଜ ବନ୍ଧୁଙ୍କ ଭଡାଘରେ ଶୋଇଥିବାବେଳେ ମାନସ ଏବଂ ତାଙ୍କର ୩ଜଣ ସାଙ୍ଗ ତାଙ୍କୁ ଏକ କାରରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅପହର୍ତ୍ତାମାନେ ଦିନବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ରଖି ପ୍ରବଳ ମାଡ ମାରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ଟାଉନ୍ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ରାତିରେ ନବଘନପୁର ରାସ୍ତାରେ ଅପହର୍ତ୍ତା ୪ଜଣଙ୍କୁ ଧରିବା ସହ ଦିନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଦିନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଅପହରଣରେ ବ୍ଯବହୃତ କାରକୁ ଜବତ କରିଛି ପୋଲିସ । ପକେଟରେ ରଖିଥିବା ୩୨ହଜାର ଟଙ୍କା ଏବଂ ମୋବାଇଲ୍ ଅପହର୍ତ୍ତାମାନେ ନେଇଯାଇଥିବା ଦିନବନ୍ଧୁଙ୍କ ମା ଅଭିଯୋଗ କରିଛନ୍ତି । ଯେଉଁମାନେ ପୁଅର ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ : ୧୪ ଘଣ୍ଟା ପରେ ଉଦ୍ଧାର ହେଲେ ବ୍ୟବସାୟୀ କ୍ରିଷ୍ଣା ରାଓ, ଅପହହଣ ପଛର କାରଣ ଖୋଜୁଛି ପୋଲିସ