ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ଟଙ୍କା ଜରିମାନା

ସମ୍ବଲପୁର : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା । ୨୦୨୧ ମସିହାର ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ସମ୍ବଲପୁର ପକସୋ କୋର୍ଟ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ୨୦୨୧ ମସିହାରେ ପପୁନ ବେହେରା ନାମକ ଯୁବକ ସେହି ଅଞ୍ଚଳରେ ରହୁଥିବା ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରିଥିଲା ।

ହାଇଦ୍ରାବାଦକୁ ନେଇ ସେଠାରେ ଏକ କୋଠରୀରେ ରଖି ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ କୌଣସି ମତେ ନିଜ ପରିବାର ସହ ଯୋଗାଯୋଗ କରିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସମ୍ବଲପୁର ପକସୋ କୋର୍ଟ । ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ।