ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ, ରାୟ ଶୁଣାଣି ସମୟରେ ବେହୋସ ହେଲେ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟା

ଯାଜପୁର ଟାଉନ : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ରାୟ ଶୁଣାଣି ସମୟରେ ବେହୋସ ହେଲେ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟା । ଅଭିଯୁକ୍ତ କୋର୍ଟରୁ ଜେଲକୁ ନ ଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ୨୦୨୨ମସିହା ଯାଜପୁର ସଦର ଥାନା ଅଂଚଳରେ ୧୬ ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ସମୟରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ସୁକଦେଵ ରାଉତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ସ୍ୱତନ୍ତ୍ର ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଜଜ ।

୨୦୨୨ ମସିହା ଯାଜପୁର ସଦର ଥାନା ଅଞ୍ଚଳର ୧୬ ବର୍ଷୀୟ ନାବାଳିକାକୁ ନିଜ ସମ୍ପର୍କୀୟ ଭାଇ ଅପହରଣ କରି ବିଭିନ୍ନ ସ୍ଥାନକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ପରିବାର ଵର୍ଗ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ସୁକଦେଵ ଙ୍କୁ ଦଫା ୩୭୬(କ ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ।

୮ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।