ନାବାଳକ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ

କଟକ :  ଏକ ୮ ବର୍ଷର ନାବାଳକ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ ପ୍ରତାପ ରାଉତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ । ଜୋରିମାନା ଅନାଦେୟ ଆସାମୀ ଅଧିକ  ଏକ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି ।  ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ଆସାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଅପରପକ୍ଷେ ପୀଡ଼ିତଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଲାଗି ଅଦାଲତ କଟକଜିଲା ଆଇନସେବା ପ୍ରାଧୁକରଣଙ୍କୁ ନିର୍ଦେଶ ଦେଇଛନ୍ତି ।

୨୦୨୩ ଫେବୃଆରୀ ୫ ରେ କଟକ ମାଣିଆବନ୍ଧ ଥାନାରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଅଭିଯୋଗ କରି ଜଣାଇଥିଲେ ଯେ, ତାଙ୍କ ପୁଅକୁ ଅଭିଯୁକ୍ତ ପ୍ରତାପ ଅପ୍ରାକୃତିକ ଦୁଷ୍କର୍ମ କରିଥିଲା । ସେ ଖେଳୁଥିବା ସମୟରେ ତାକୁ ଭୁଲାଇ ଏକ ଲୁନାରେ ଜଙ୍ଗଲକୁ ନେଇଯାଇ ଏଭଳି କରିଥିଲା । ନାବାଳକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ମାଣିଆବନ୍ଧ ପୋଲିସ ମାମଲା ରୁଜୁ କରି ସେହିମାସ ୮ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ମାମଲାର ଶୁଣାଣି କରି ୧୬ ଜଣ ସାକ୍ଷୀଙ୍କ ବୟାନ ଓ ୧୬ ଟି ଦସ୍ତାବିଜକୁ ଭିତ୍ତି କରି ଅଭିଯୁକ୍ତକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।