ଶାଳୀ ଆକ୍ରମଣରେ ଭିଣୋଇ ଗୁରୁତର, ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ମାର୍ଶାଘାଇ: ଭିଣୋଇକୁ ମରଣାନ୍ତକ ଆକ୍ରମଣ କଲା ଶାଳୀ । ବୁଲିଯିବା କହି ଭିଣୋଇ ସହ ସ୍କୁଟିରେ କେନ୍ଦ୍ରାପଡ଼ା ଆସିଲେ । ଆଉ ନିଛାଟିଆ ଜାଗା ଦେଖି ଭିଣୋଇକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ । ସୁଯୋଗ ଦେଖି ଘଟଣାସ୍ଥଳରୁ ଫେରାର ବି ମାରିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ ଯୁବକ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଲା ପୋଲିସ । ଆଉ ତା ପରେ ଆରମ୍ଭ ହୋଇଗଲା ତଦନ୍ତ । ଘଟଣାରୁ ୧୨ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ଶାଳୀକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଘଟଣା ପ୍ରକାରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀ ଛକରେ ଯୁବକଙ୍କ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ l ଲକ୍ଷ୍ମୀପ୍ରିୟାଙ୍କୁ ପୋଲିସ ତାଙ୍କ ଘର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଅଢାପଟି ଗାଁରୁ ଗିରଫ କରିଛି । ଏନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ହେଉଛନ୍ତି ପୀଡିତ ସତ୍ୟଜିତ ଷଡଙ୍ଗୀଙ୍କ ସମ୍ପର୍କୀୟ ଶାଳୀ l ସତ୍ୟଜିତଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଲକ୍ଷ୍ମୀପ୍ରିୟାଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲେ l ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରନ୍ତି l ସେଠାରେ ତାଙ୍କର ଜଣେ ପୁରୁଷ ସହକର୍ମୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ ଲକ୍ଷ୍ମୀପ୍ରିୟାଙ୍କୁ ବାରମ୍ବାର ଗାଳିଗୁଲଜ କରୁଥିଲେ l ଏଥିରେ ବିରକ୍ତ ହୋଇ ଲକ୍ଷ୍ମୀପ୍ରିୟା ଜୁଲାଇ ୨୨ ତାରିଖରେ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡାକି ଏକ ସ୍କୁଟି ଯୋଗେ କେନ୍ଦ୍ରାପଡା ଆସିଥିଲେ l ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ଠାରେ ସ୍କୁଟି ଅଟକାଇ ରାସ୍ତା କଡକୁ ଡାକି ନେଇ ସତ୍ୟଜିତଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଲକ୍ଷ୍ମୀପ୍ରିୟା  l

ସତ୍ୟଜିତ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ । ଏହି ସମୟରେ ସ୍ଥାନୀୟ ଯୁବକ ସୂର୍ଯ୍ୟ ପ୍ରକାଶ ପାଣି ବାଟରେ ଯାଉଥିବାବେଳେ ସତ୍ୟଜିତଙ୍କୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ସତ୍ୟଜିତକୁ କେନ୍ଦ୍ରାପଡା ମେଡିକାଲ ନେଇଥିଲା । ସତ୍ୟଜିତଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । କଟକ ମେଡିକାଲରେ ସତ୍ୟଜିତଙ୍କ ଅବସ୍ଥା ସ୍ଥିର ଥିବା ଏସପି ସୂଚନା ଦେଇଛନ୍ତି ।

ତେବେ ଘଟଣା ଘଟିବାର ବାର ଘଣ୍ଟା ଭିତରେ ଜଗତସିଂହପୁର ଜିଲ୍ଲାରୁ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପିୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ଲକ୍ଷ୍ମୀପ୍ରିୟାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, କିଛି ଟଙ୍କା ଓ ଏକ ରକ୍ତ ଭିଜା ଟିସାର୍ଟ ଜବତ କରିଛି l ଏନେଇ ଅଧିକ ତଦନ୍ତ ଜାରି ରହିଛି  l ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସପି ସିଦ୍ଧାର୍ଥ କାଟାରିଆ ସୂଚନା ଦେଇଛନ୍ତି।

ରାଜରାସ୍ତାରେ ଏମିତି ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଏ ଘଟଣାରେ କେବଳ ଲକ୍ଷ୍ମୀପ୍ରିୟାଙ୍କ ସମ୍ପ୍ରୁକ୍ତି ଅଛି ନା ଆଉ କିଏ ବି ସାମିଲ ଅଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Also Read: ଅନ୍ତେବାସୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଥାନାର ଦ୍ଵାରସ୍ତ ହେଲେ ମାନସିକ ବିକାରଗ୍ରସ୍ତ ମହିଳା