ପଶୁ ବଦଳରେ ମଣିଷ ଶିକାର, ଶିକାରୀ ଗୁଳିରେ ଚାଲିଗଲା ଜଣକର ଜୀବନ

କାମାକ୍ଷାନଗର (କେ ନ୍ୟୁଜ୍‌) : ଶିକାରୀ ଯାଇଥିଲେ ପଶୁ ଶିକାର ପାଇଁ । ହେଲେ ପଶୁ ଜାଗାରେ କରିଦେଲେ ମଣିଷ ଶିକାର । କାଳିଆପାଣି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗାଁର ଗୋବିନ୍ଦ ବେହେରା ।

KUNINDA-1

ଗୋବିନ୍ଦ ଗତ ବୁଧବାର ଦିନ ଘରୁ ୨୫ ହଜାର ଟଙ୍କା ନେଇ ୨ ଜଣ ସାଙ୍ଗଙ୍କ ସହ କାଳିଆପାଣି ଅଞ୍ଚଳକୁ ମଇଁଷି କିଣିବାକୁ ଯାଇଥିଲେ । ତେବେ ଫେରିବା ବେଳେ ମଇଁଷି ୨ଟି ହାତଛଡ଼ା ହୋଇଯାଇଥିଲେ । ରାତିରେ ଜଙ୍ଗଲରେ ମଇଁଷି ୨ଟି ଖୋଜିବା ବେଳେ ଏହି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି । ଅନୁମାନ କରାଯାଉଛି କି ସେତେବେଳେ ଶିକାର ପାଇଁ ଯାଇଥିବା କୌଣସି ଶିକାରୀ ତାଙ୍କୁ ଗୁଳି କରି ଦେଇଛି । ଗୋବିନ୍ଦଙ୍କ ପେଟରେ ଗୁଳି ବାଜିଥିଲା । ତାଙ୍କୁ ଆହତ ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।