ଅନ୍ତୁଡ଼ିଶାଳରେ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ଆସିଲା ଦଣ୍ଡାଦେଶ , ଫାଶୀ ନିର୍ଦ୍ଦେଶ

ଭୁବନେଶ୍ୱର : ଦୁଇ ବର୍ଷ ପରେ ପତ୍ନିହନ୍ତାକୁ ମିଳିଲା ଦଣ୍ଡ । ଖଣ୍ଡଗିରି ଘାଟିକିଆରେ ଅନ୍ତୁଡ଼ିଶାଳରେ ୩ ଦିନର ଶିଶୁକନ୍ୟାକୁ ଧରି ଶୋଇଥିବା ପତ୍ନୀଙ୍କୁ ଛୁରି ଭୁସି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ଆସାମୀ ସଞ୍ଜିତ ଦାଶକୁ ଫାଶୀ ଦଣ୍ଡାଦେଶ ହୋଇଛି। ଗୁରୁବାର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ବନ୍ଦନା କର ଏହି ମାମଲାକୁ ବିରଳତମ ହତ୍ୟାକାଣ୍ଡ ଭାବେ ବିବେଚିତ କରି ନୃଶଂସ ସ୍ବାମୀ ସଞ୍ଜିତକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଆସାମୀକୁ ଫାଶୀ ଖୁଣ୍ଟରେ ଝୁଲାଇ ରଖିବାକୁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିବା ପରେ କଲମ ନିବ୍‌ ଭାଙ୍ଗି ଦେଇଛନ୍ତି। ଅନ୍ତୁଡ଼ିଶାଳରେ ପ୍ରସୂତିଙ୍କୁ ହତ୍ୟା କରିବା ସହିତ ୬ ବର୍ଷର ଝିଅକୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିବା ଭଳି ଘଟଣା ବିରଳତମ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ନରପିଶାଚ ସଞ୍ଜିତ ପାଇଁ ୨ ଶିଶୁକନ୍ୟାଙ୍କ ସମେତ ତିନି ତିନିଟି ଜୀବନ ବିପଦରେ ପଡ଼ିଥିଲା।

ସୂଚନା ଅନୁସାରେ ୨୦୨୨ ଜୁନ୍‌ ୯ରେ ଘଟିକିଆ ଗାଁରେ ଘଟିଥିଲା ଏହି ଛତିଥରା ଅଘଟଣ । ସ୍ତ୍ରୀକୁ ସୁରକ୍ଷା ଦେବା ପାଇଁ ରକ୍ଷାକର୍ତ୍ତା ସ୍ଵାମୀ କିଛି ଟଙ୍କା ପାଇଁ ସାଜିଥିଲି ପିଶାଚ। ନିଶା ଖାଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ନିର୍ମମ ଭାବେ କରିଥିଲା ହତ୍ୟା l ଏହି ଘଟଣାରେ ସ୍ବାମୀ ସଂଜିତ ଦାସ ତାଙ୍କ ପତ୍ନୀ ସରସ୍ଵତୀ ଦାଶକୁ ୩୩ ଥର ଛୁରୀ ଭୂଷି ହତ୍ୟା କରିଥିଲେ ଓ ଝିଅ ଶ୍ରୀ ଦାସକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା । ଏହି ବୀଭତ୍ସ ହତ୍ୟାକାଣ୍ଡକୁ ଖଣ୍ଡଗିରି ଥାନା ପୋଲିସ ଗୁରୁତ୍ବର ସହ ନେଇଥିଲା। ଦଫା ୩୦୨, ୩୦୭, ୩୨୬ରେ ମାମଲା ରୁଜୁ କରିବା ପରେ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରି ତୁରନ୍ତ ଦୃଢ଼ ଚାର୍ଜସିଟ୍‌ ଦାଖଲ କରିଥିଲା । ପୋଲିସ ପକ୍ଷରୁ କୋର୍ଟଙ୍କୁ ୧୫ ଜଣ ସାକ୍ଷୀ ଓ ୧୮ ଦସ୍ତାବିଜ ଯୋଗାଇ ଦିଆଯାଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଫିଙ୍ଗର୍‌ ପ୍ରିଣ୍ଟ୍‌, ରକ୍ତଭିଜା ପୋଷାକପତ୍ରର ଫୋରେନ୍‌ସିକ୍‌ ରିପୋର୍ଟ ଭଳି ସମସ୍ତ ପ୍ରମାଣ ଯୋଗାଡ଼ କରିଥିଲା ପୋଲିସ । ତେବେ ସାଇଣ୍ଟଫିକ ଟିମର ପ୍ରମାଣ ଓ ଏକ୍ସପର୍ଟଙ୍କ ପ୍ରମାଣକୁ ଆଧାର କରି ମାନ୍ୟବର ଜିଲ୍ଲା ଦୌରା ଜଜ୍ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

You might also like