ଯାଜପୁର ଟାଉନ: ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ଉତ୍ତେଜନା । ଗ୍ରାମର ୧୨ଜଣ ମହିଳା ଓ ଶିଶୁ ଗୁଣିଗାରେଡିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ଥାନା ନାଥସାହି ପଞ୍ଚାୟତ ସୁନିନ୍ଦା ଶବର ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ସଦର ପୋଲିସ ।
ସୂଚନା ମୁତାବକ, ସୁନିନ୍ଦା ଶବର ସାହିରେ ଗତ କିଛି ଦିନ ହେବ ମହିଳାମାନେ ଗୁଣିଗାରେଡିର ଶିକାର ହେଉଛନ୍ତି । ଏନେଇ କିଛି ଦିନ ତଳେ ଗ୍ରାମରେ ପୂଜାର୍ଚ୍ଚନା କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ି ନଥିଲା । ଗତକାଲି ଗୁଣିଗାରେଡିର ଶିକାର ହୋଇଥିବା ମହିଳାମାନେ ଗ୍ରାମର ଜଗନ୍ନାଥ ବାରିକଙ୍କ ନାମ ପ୍ରକାଶ କରି ଥିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଜଗାଙ୍କ ଘରକୁ ଯାଇଥିଲେ ।
ଘରେ ଜଗାଙ୍କୁ ନ ପାଇବାରୁ ତାଙ୍କ ପରିବାବର୍ଗଙ୍କୁ ଗ୍ରାମବାସୀ ନେଇ ଆସିଥିଲେ । ଖବର ପାଇ ସଦର ପୋଲିସ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଜଗନ୍ନାଥଙ୍କ ପରିବାରବର୍ଗଙ୍କୁ ଉଦ୍ଧାର କରି ଆଣିଥିଲା । ପରେ ଜଗନ୍ନାଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖି ତଦନ୍ତ ଆରମ୍ଭ କରିବା ସହ ଗ୍ରାମରେ ବ୍ୟାପକ ପୋଲିସ ମୁତୟନ କରିଛି ସଦର ପୋଲିସ । ଅନ୍ୟପଟେ ଏହି ଗୁଣି ଗାରେଡ଼ି ଘଟଣାରେ ଜଗନ୍ନାଥଙ୍କ କୌଣସି ସଂପୃକ୍ତି ନଥିବା ସେ କହିଛନ୍ତି ।