ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ ଘର ବାହାରୁ ପକାଇଦେଲେ ତାଲା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡ଼ବାଙ୍କୀ ଗାଁରେ । ଯାହା ସୂଚନା ମିଳିଛି କି, ଗାଁର ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ କାଗଜପତ୍ର ନେଇ ଗ୍ରୁପ ଋଣ ଉଠାଇ ଫେରାର ଥିବା ଜୈନିକ ବ୍ୟକ୍ତିଙ୍କ ଘରକୁ ତାଲା ପକାଇଛନ୍ତି ଗ୍ରାମର ମହିଳା ।
ସୂଚନା ଅନୁସାରେ, ବଡ଼ବାଙ୍କୀ ଗାଁ ର ବସୁଦେବ ପୁଟେଲ ପାଖାପାଖି ୫୦ ରୁ ଅଧିକ ଜଣ ମହିଳାଙ୍କ ନାମରେ ଗ୍ରୁପ ଲୋନ ଉଠାଇ କିସ୍ତି ପଇଠ ନ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମର ମହିଳା ମାନେ ତୁରେକେଲା ଥାନାରେ ଏତଲା ଦେଇଛନ୍ତି ।
ତୁରେକେଲା ଥାନାରେ କେସ୍ ନମ୍ବର ୧୮୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍ । ଏପଟେ ମାସକୁ ମାସ କିସ୍ତି ଋଣ ସୁଝିବା ପାଇଁ ଲୋନ୍ ଦେଇଥିବା ଅଧିକାରୀ ଧମକ ଦେବା ସହ ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମହିଳା । ତେବେ ଏଭଳି ଏକ ଘଟଣା ପରେ ଚିନ୍ତାରେ ପଡିଛନ୍ତି ମହିଳା ମାନେ । ଯାହାଫଳରେ କିଛି ଉପାୟ ନପାଇ ଶେଷରେ ଅଭିଯୁକ୍ତର ଘରକୁ ତାଲା ପକାଇଛନ୍ତି । ତେବେ ଏଠି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ମହିଳା ମାନେ ଦାବି କରିଛନ୍ତି ।