ମାଡମାରି ତଡିଦେଲେ ପୁଅବୋହୂ: ଗାଁ ମଶାଣି ଘରେ ଝିଅ ଓ ନାତି ନାତୁଣୀ ସହ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ମାଡମାରି ତଡିଦେଲେ ପୁଅବୋହୂ ଦୁଇଦିନ ଧରି ମଶାଣିରେ ଆଶ୍ରୟ ନେଇଥିଲେ ବୃଦ୍ଧ ଦମ୍ପତି । ଖବରପାଇ ଉଦ୍ଧାର କଲେ ବ୍ଲକ ଅଧ୍ୟକ୍ଷ

ଜଗତସିଂହପୁର (କେନ୍ୟୁଜ): ବୃଦ୍ଧ ଦମ୍ପତିଙ୍କୁ ପୁଅବୋହୂ ମାଡମାରି ଘରୁ ତଡିଦେଲେ । ବୃଦ୍ଧ ଦମ୍ପତି ଝିଅ, ନାତି,ନାତୁଣୀଙ୍କ ସହ ଗାଁ ମଶାଣି ଶବଦାହ ଘରେ ଦୁଇଦିନ ଧରି ଆଶ୍ରୟ ନେଇଥିବା ବେଳେ ଖବରପାଇ ଉଦ୍ଧାର କଲେ ବ୍ଲକ ଅଧ୍ୟକ୍ଷ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ।

ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ବିଲଅରିଲୋ ଗ୍ରାମର ବାବାଜୀ ସେଠି,ପତ୍ନୀ-କାଞ୍ଚନ,ସ୍ୱାମୀ ପରିତ୍ୟକ୍ତା ଝିଅ ଓ ନାତି-ନାତୁଣୀଙ୍କୁ ସାଙ୍ଗରେ ନେଇ ଗାଁ ମଶାଣି ଶବଦାହ ଘରେ ଦୁଇଦିନ ହେଲା ଆଶ୍ରୟ ନେଇଥିଲେ। ବାବାଜୀଙ୍କ ପୁଅବୋହୂ ବୁଢାବୁଢୀଙ୍କୁ ମାଡମାରି ଅକଥନୀୟ ଅତ୍ୟାଚାର କରି ଘରୁ ତଡିଦେଇଥିଲେ। ଏପରିକି ଶାଶୁ କାଞ୍ଚନକୁ ବୋହୂ ମାଡମାରିବା ସହ ଶଶୁର ବାବାଜୀଙ୍କ ନାଆଁରେ ବଳତ୍କାର ଅଭିଯୋଗ କରିବାକୁ ପଛେଇ ନଥିଲା। ନିର୍ଯ୍ୟାତିତ ବୃଦ୍ଧ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲେ। ବୋହୂର କୁଭାଷା ଅଭାଷା ଓ ମିଥ୍ୟା ଅଭିଯୋଗ ଭୟରେ ପଡୋଶୀ ଗ୍ରାମବାସୀ ମଧ୍ୟ ତୁଣ୍ଡ ନଖୋଲିବାରୁ ଅନ୍ୟ ଉପାୟ ନପାଇ ମଶାଣିରେ ଦୁଇଦିନ ହେଲା ବୃଦ୍ଧ ଦମ୍ପତି ଝିଅ ନାତିନାତୁଣୀଙ୍କୁ ନେଇ ଆଶ୍ରୟ ନେଇଥିଲେ।

ଖବରପାଇ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଘଟଣା ସ୍ଥଳରେ ପହଞ୍ଚିବା ସହିତ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ନିର୍ଯ୍ୟାତିତ ପରିବାରକୁ ଉଦ୍ଧାର କରି ଗାଁରେ ଥିବା ନବନିର୍ମିତ ଅଙ୍ଗନବାଡି ଗୃହରେ ଥଇଥାନ କରାଇଥିଲେ।ଅଧ୍ୟକ୍ଷଙ୍କ ସମିତିସଭ୍ୟ ଅରୁଣ କୁମାର ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ୍ତ ମଲ୍ଲିକ ଏବଂ ଗ୍ରାମର କିଛି ଗ୍ରାମବାସୀ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.