ଡାକ୍ତରଖାନା ପରିସରରେ ଝଡାଫୁଙ୍କା : ପୋଲିସ ଓ ଡାକ୍ତରଙ୍କ ଉପସ୍ଥିତିରେ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ

ଅନୁଗୁଳ : ଡାକ୍ତରଖାନା ପରିସରରେ ଝଡାଫୁଙ୍କା । ପୋଲିସ ଆଉ ଡାକ୍ତରଙ୍କ ଉପସ୍ଥିତିରେ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଗୁଣିଆର ଉଦ୍ୟମ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ସୂଚନା ଅନୁସାରେ ବାଗଡିଆ ଗାଁର ଜଣେ ମହିଳାଙ୍କୁ ସାପ କାମୁଡି ଥିଲା । ତାଙ୍କୁ ପରିବାର ଲୋକ ପ୍ରଥମେ ଗୁଣିଆ ପାଖକୁ ନେଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛେଣ୍ଡିପଦା ମେଡ଼ିକାଲକୁ ଆଣିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଡାକ୍ତର ତାଙ୍କୁ ମୃତ ଗୋଷଣା କରିଥିଲେ । ହେଲେ ପୁଣି ଜୀବନ ଫେରି ପାଇବା ଆଶାରେ ପରିବାର ଲୋକ ଗୁଣିଆ ଡାକିଥିଲେ । ଡାକ୍ତରଖାନାରେ ଚାଲିଲା ଝଡ଼ାଫୁଙ୍କା । ଡାକ୍ତରଖାନା ପରିସରରେ ଲୋକ ରୁଣ୍ଡ ହୋଇ ଯାଇଥିଲେ । ଲୋକଙ୍କ ଭିତରେ ପୋଲିସ ମଧ୍ୟ ଦର୍ଶକ ପାଲଟିଥିଲା । ବେଶ କିଛି ସମୟ ପର୍ୟ୍ୟନ୍ତ ଝଡାଫୁଙ୍କା ଚାଲିବା ପରେ ଗୁଣିଆ ଫେରି ଯାଇଥିଲା । ଛେଣ୍ଡିପଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।