କାମାକ୍ଷାନଗର : ଭାରି ଚାଲାକ୍ ଏ ଅନଲାଇନ୍ ଠକ । ବଡ ସାହାସରେ ଆଉ ଚାଲାକିରେ କରୁଥିଲା ଠକାମି । ଆଖି ସାମ୍ନାରେ ଆଉ ଆଖିରେ ଆଙ୍ଗୁଠି ଗେଞ୍ଜି ହିଁ ଲୋକଙ୍କୁ ଭୁଆଁ ବୁଲାଉଥିଲା । ଅତି ସହଜରେ ଲୋକଙ୍କୁ ଚୂନା ମାରିବାରେ ଥିଲା ଏକ୍ସପର୍ଟ । ସେ ପୁଣି କାହା ଘରେ ପଶି ନୁହେଁ କି କାହା ଠାରୁ ଚୋରି କରି ନୁହେଁ ବରଂ ସମସ୍ତଙ୍କ ଉପସ୍ଥିତିରେ ସର୍ବ ସମ୍ମୁଖରେ ଚୂନା ଲଗାଇ ଚାଲି ଯାଉଥିଲା କିନ୍ତୁ କେହି ତାର ଟେର ପାଉନଥିଲେ । ବିଶ୍ୱାସ କରନ୍ତୁ ୟାର ଚୂନା ଲଗାଇବାର ତରିକା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । କାବା ହେଇ ରହିଯିବେ ।
ପେଟ୍ରୋଲ ପମ୍ପରେ ପ୍ରଥମେ ଟାଙ୍କି ଫୁଲ କରି ପେଟ୍ରୋଲ ପକାଉଥିଲା । ତାପରେ ଫୋନ ପେରେ ଟଙ୍କା ପଠାଇବାର କରୁଥିଲା ବାହାନା । ଆମାଉଣ୍ଟ ଏଣ୍ଟର କରି ଟ୍ରାନଜାକସନ୍ ବି କରୁଥିଲା ହେଲେ ବଡ ଚାଲାକିରେ ଟ୍ରାନଜାକସନ୍ ସକସେସଫୁଲ ନକରି ଖସି ପଳାଉଥିଲା । ଏମିତି ଥରେ କି ଦୁଇ ଥର ନୁହେଁ ଦୀର୍ଘ ଦୁଇ ମାସ ହେଲା କରିଆସୁଥିଲା । ସମାନ ଢ଼ଙ୍ଗରେ ସମାନ୍ ଭାବେ ତେଲ ପକାଇ ଖସି ପଳାଉଥିଲା ହେଲେ ତାର କେହି ବି ଟେର୍ ପାଉନଥିଲା ।
ପେଟ୍ରୋଲ ପମ୍ଫରେ ତେଲ ପକାଇ ଫୋନପେରେ ପଇସା ଦେବାରେ ହେରଫେରକୁ ନେଇ ଜଣେ ଅନଲାଇନ୍ ଠକକୁ ବିନା ଦଣ୍ଡଦେଇ ଛାଡିଦେଇଛି ଭୁବନ ପୋଲିସ । ସୂଚନା ଅନୁସାରେ ଭୁବନ ଥାନା ଅନନ୍ତପୁର ଛକ ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପରୁ ବିଗତ ଦୁଇ ମାସ ହେଲାଣି ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଚୋରି କରୁଥିଲେ ସୁକିନ୍ଦା ଅଞ୍ଚଳର ଜଣେ ଯୁବକ । ତେଲ ପକାଇ ସାରି ଅନଲାଇନ୍ ପେମେଣ୍ଟ୍ କରେ ହେଲେ ଟଙ୍କା ଯାଏନାହିଁ ଆକାଉଣ୍ଟକୁ । ଏଭଳି ପ୍ରାୟ ଦୁଇ ମାସ ହେଲାଣି କରୁଥିଲେ ଏହି ଯୁବକ ଜଣକ ।
ଯାହାକୁ ନେଇ ଧରିବା ପାଇଁ ଅପେକ୍ଷାରେ ଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ଆଜି ଏହି ଯୁବକ ପେଟ୍ରୋଲ ପକାଇ ପେମେଣ୍ଟ କରିଲେ ଚେକ୍ କରିବାରୁ ଜଣାଗଲା ଟଙ୍କା ଆସିନାହିଁ । ତେଣୁ ଯୁବକକୁ ଅଟକ ରଖି ଭୁବନ ପୋଲିସକୁ ହସ୍ତାନ୍ତର କରିଥିଲେ ପେଟ୍ରୋଲ ପମ୍ପ ମ୍ୟାନେଜର ଅନୁପମା ସାହୁ । କିନ୍ତୁ କିଛି ସମୟ ପରେ ଭୁବନ ପୋଲିସ ଜଣେ ଦୋଷୀକୁ ଛାଡି ଦେଇଛନ୍ତି । ଯାହାକୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଦୋଷିକୁ ବାନ୍ଧିବା ବଦଳରେ କାହିଁକି ପୋଲିସ ଛାଡିଦେଲା ସେନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।