ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା: ବ୍ରିଜ୍ ଉପରୁ ସାଙ୍ଗକୁ ଠେଲିଦେଲା ସାଙ୍ଗ

ପାଟଣାଗଡ: ସାଙ୍ଗ ବା ବନ୍ଧୁ, ଯେଉଁ ସମ୍ପର୍କର ତୁଳନା କେଉଁ ସମ୍ପର୍କ ସହିତ ହୋଇପାରିବ ନାହିଁ ।  ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ ଏହି ସମ୍ପର୍କ । ସୁଖ ଦୁଃଖର ସାଥୀ ହେଉଛି ସାଙ୍ଗ । କୁହାଯାଏ ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

ତେବେ ଆଜିର ଏଇ ସ୍ୱାର୍ଥପର  ଦୁନିଆରେ ସବୁଠି ଚାଲିଛି ନିଜ ନିଜ ଭିତରେ ଗୋଡ ଟଣାଟଣି । ଏଠି ସତରେ କଣ କାହା ମନରେ ସମ୍ପର୍କକୁ ନେଇ ଭାବନା ଅଛି? ଏଇ ସ୍ୱାର୍ଥପର ଦୁନିଆରେ ଆଜ୍ଞା ସବୁ ମୟା,ମୋହ । ଏଠି ଭଲ ବନ୍ଧୁଟିଏ ପାଇବା ଆଜିକା ସମୟରେ ବହୁତ କମ୍ । କଥାରେ ଅଛି ଅଣ୍ଟି ଛୁରୀ ତଣ୍ଟି କାଟିଲା । ଠିକ୍ ଏଭଳି ଏକ ଘଟଣା ଘଟିଛି । ସାଙ୍ଗର ଜୀବନ ନେଲା ସଇତାନ୍ ସାଙ୍ଗ । ଝଗଡାରୁ ରାଗିଯାଇ ସବୁଦିନ ପାଇଁ ନେଇଗଲା ନିଜ ସାଙ୍ଗର ଜୀବନ । ସାଙ୍ଗ ଭଳି ଏକ ପବିତ୍ର ସମ୍ପର୍କରେ ଲଗାଇଦେଲା କଳଙ୍କର ଛିଟା ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଗଡିଆଜୋର୍ ଗାଁରେ ଅଘଟଣ । ଗାଁର ଗୋପବନ୍ଧୁ ଧରୁଆ ଗାଁ ମୁଣ୍ଡରେ ଥିବା ଏକ ବ୍ରିଜ୍ ଉପରେ ବସିଥିବା ସମୟରେ ଅଭିଯୁକ୍ତ ସୁଦାମ ଧରୁଆଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାଫଳରେ ଉତ୍ୟକ୍ତ ହୋଇଯାଇଥିଲେ ସୁଦାମ । ରାଗିଯାଇ ଗୋପବନ୍ଧୁଙ୍କ ଛାତିକୁ ଜୋରରେ ଧକ୍କା ଦେଇଥିଲେ ।

ଫଳରେ ଗୋପବନ୍ଧୁ ବ୍ରିଜ ତଳୁକୁ ଖସି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ବିଷୟରେ ପାଟଣାଗଡ ପୋଲିସ୍ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖିବା ସହିତ ଅଧିକ ପଚରା ଉଚରା ଜାରି ରଖିଛି ।

ଆଜିକାଲି ଏମିତି ଅନେକ ଘଟଣା ସାମନାକୁ ଆସୁଛି ସାଙ୍ଗ ହିଁ ସାଙ୍ଗର ପରମ ଶତୃ ପାଲଟୁଛି । ସାଙ୍ଗ ସାଙ୍ଗ ଭିତର ସମ୍ପକକୁ ଭୁଲି ଏତେ ଶତୃତା ହୋଇଯାଉଛି ଯେ ଜଣେ ଅନ୍ୟ ଜଣକର ଜୀବନ ନେବାକୁ ବି ପଛ ଘୂଞ୍ଚା ଦେଉନାହିଁ । ତେବେ ଅନ୍ଧ ଭଳି କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ । ଏମିତି ସାଙ୍ଗଠୁ ଶହେ ହାତ ଦୁରରେ ରୁହନ୍ତୁ ।

 

You might also like