ଭୁଶୁଡ଼ିଗଲା ମାନବବାଦ ସଂଗଠନ, ମୁଖିଆ ମାନସ ଦାସ ସହ ତାଙ୍କ ପୁଅ ମନୋରଞ୍ଜନ ଦାସ ବି ଗଲେ ଜେଲକୁ

କେନ୍ୟୁଜ୍(ବ୍ୟୁରୋ):  ଗୁରୁଜୀଙ୍କ ହାତରେ ହାତକଡ଼ି । ବନ୍ଧା ହେଲେ ମାନବବାଦ ସଂଗଠନ ମୁଖିଆ ମାନସ ଦାସ । ବୋଲଗଡ଼ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଆଜି ଭୁବନେଶ୍ୱର ସହିଦନଗର ଘରୁ ଉଠାଇ ନେଇଥିଲା ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ଗିରଫ କରାଯାଇଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କ ହାତରେ ବି ହ୍ୟାଣ୍ଡକଫ୍‌ ପଡିଛି । ମାନସ ଦାସଙ୍କ ବିରୋଧରେ ଲାଗିଛି ହତ୍ୟା ମାମଲା । ସେହିପରି ପ୍ରମାଣ ନଷ୍ଟ, ଧମକ, ଅପହରଣ ଅଭିଯୋଗରେ ଦଫା ଲାଗିଛି । ସତ୍ୟବ୍ରତ ନାୟକଙ୍କୁ ହତ୍ୟା ଅଭିଯୋଗରେ ଗତ ୩ ତାରିଖରେ ଥାନାରେ ଏତଲା ହୋଇଥିଲା । ପ୍ରମାଣ ମିଳିବା ପରେ ବାପପୁଅଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ଗତ କିଛି ଦିନ ଧରି ମାନସ ଦାସଙ୍କ ନାଁରେ ଥାନାରେ ଅନେକ ଅଭିଯୋଗ ହୋଇଥିଲା । ଅଭିଯୋଗ ହୋଇଥିଲା, ସତ୍ୟବ୍ରତଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଛି । ପରେ କଡ଼ବ ଗାଁର ବାପପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ମାନସ ଦାସ ଓ ମାନବବାଦ ସଂଗଠନ କଳା କାହାଣୀ ପଦାକୁ ଆସିଥିଲା । ଚାରିଆଡୁ ଅଭିଯୋଗ ଆସିବା ପରେ ତାକୁ ଗିରଫ କରିବାକୁ ପ୍ରବଳ ଦାବି ଉଠିଥିଲା । ବାପପୁଅଙ୍କୁ ମାଡ଼ ଘଟଣାରେ ୬ଜଣ ଗିରଫ ହୋଇଥିଲେ । ମାନସଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରିଥିବା ଯୁବକ ମଧ୍ୟ ଆଣିଥିଲେ ଅଭିଯୋଗ ।

ଦିନ ବଢ଼ିବା ସହ ମାନସ ଦାସଙ୍କ ବିରୋଧରେ ବଢ଼ିଥିଲା ଅଭିଯୋଗର ଲମ୍ବା ତାଲିକା । ତାଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ରାଜ୍ୟର ୧୦ରୁ ଅଧିକ ଦଳିତ ଓ ଆଦିବାସୀ ସଂଘ ଦାବିପତ୍ର ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.