ସ୍ୟାଣ୍ଡ ଆନିମେସନରେ ସ୍ନାନ ଯାତ୍ରାର କାହାଣୀ ବଖାଣିଲେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ପୁରୀ(କେନ୍ୟୁଜ): ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହିତ ନିଚ୍ଛକ କାହାଣୀ ବଖାଣିଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁରଙ୍କ ହାତୀ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ ସେହି କାହାଣୀକୁ ଅତି ନିଖୁଣ ଭାବରେ ଦେଖାଇଛନ୍ତି ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ । ଗଣପତି ଭଟ ଜଣେ ଭକ୍ତ ଯିଏକି ଦକ୍ଷିଣ ଭାରତର । ସେ କେବଳ ପ୍ରଭୁ ଗଣେଶଙ୍କୁ ଆରାଧନା କରୁଥିଲେ । ସେ କେବଳ ଗଣେଶଙ୍କୁ ଚିହ୍ନନ୍ତି ।

ସେ ସୁଦୂର ଦକ୍ଷିଣ ରୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ ଏବଂ ଜଗନ୍ନାଥଙ୍କ ମଧ୍ୟରେ ତାଙ୍କ ପ୍ରଭୁ ଗଣେଶଙ୍କୁ ଖୋଜିଥିଲେ । ତାଙ୍କର ଏହି ବ୍ୟାକୁଳ ତାକୁ ପ୍ରଭୁ ଦେଖି ନିଜେ ଗଣପତି ବେଶରେ ତାଙ୍କୁ ଦର୍ଶନ ଦେଇଥିଲେ ।

ତାଙ୍କର ଭକ୍ତିରେ ବିଭୋର ହୋଇ ପ୍ରଭୁ ଜଗନ୍ନାଥ କଳା ହାତୀ ଏବଂ ବଳଭଦ୍ର ଧଳା ହାତୀ ବେଶରେ ଗଣପତି ଭଟଙ୍କୁ ଦର୍ଶନ ଦେଇଥିଲେ । ଭକ୍ତର ଭଗବାନ ପ୍ରଭୁ ଜଗନ୍ନାଥ । ଭକ୍ତ ଯେଉଁ ରୂପରେ ଚାହିଁବ ପ୍ରଭୁ ସେହି ରୂପରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ଏହି ସମ୍ପୂର୍ଣ କାହାଣୀ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।

ତେବେ ଏହି ସ୍ୟାଣ୍ଡ ଆନିମେସନ କାହାଣୀକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୧୮ ଘଣ୍ଟା ସମୟ ଲାଗିଥିଲା । ସ୍ୟାଣ୍ଡ ଆନିମେସନ ଭିଡ଼ିଓଟିରେ ଏହି କାହାଣୀ ନିଚ୍ଛକ ଉଦାହରଣ ଦର୍ଶାଉଛି ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କକୁ ।

 

Leave A Reply

Your email address will not be published.