ମାଡି ଆସୁଛି ମାଣ୍ଡୋସ୍‌: ପୁଡୁଚେରୀ ଓ ଶ୍ରୀହରିକୋଟା ମଝିରେ କରିବ ଲାଣ୍ଡଫଲ୍‌

କେନ୍ୟୁଜ୍(ବ୍ୟୁରୋ):  ମାଡି ଆସୁଛି ମାଣ୍ଡୋସ୍‌ । ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ଭୀଷଣ ବାତ୍ୟା ଆଜି ଦୁର୍ବଳ ହୋଇ ସକାଳ ସାଢ଼େ ୮ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି । ଏବେ ମାଣ୍ଡୋସ୍‌ ପୁଡୁଚେରୀ କରାଇକାଲରୁ ୧୮୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଓ ଚେନ୍ନାଇରୁ ୨୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଛି । ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ଭୋରରେ ବାତ୍ୟା ପୁଡୁଚେରୀ ଓ ଶ୍ରୀହରିକୋଟା ମଝିରେ ମହାବଳିପୁରମ୍‌ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଉପକୂଳ ଦେଇ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ଓ ଏହା ବଢ଼ି ୮୫ କିଲୋମିଟର ଛୁଇଁପାରେ ।

ବାତ୍ୟା ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳର ଅଧିକାଂଶ ସ୍ଥାନରେ ଜାରି ରହିଛି ତୁହାକୁ ତୁହା ବର୍ଷା । କିଛି ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନା ବି ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ୧୨ଟି ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ୩ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି ହୋଇଛି । ଖାରପ ପାଗ ପାଇଁ ଚେନ୍ନାଇ ଏୟାରପୋର୍ଟର ୧୦ଟି ବିମାନ ବାତିଲ ହୋଇଛି । ବାତ୍ୟା ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉଠିପାରେ ବଡ଼ ବଡ଼ ଜୁଆର । ଫଳରେ ଆସନ୍ତାକାଲି ସମୁଦ୍ର ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏପଟେ ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । କିନ୍ତୁ ବାତ୍ୟାର ସମ୍ଭାବନା ନଥିବା ଆଇଏମଡି ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.