ନବୀନ ନିବାସରେ ନଜମା

ଭୁବନେଶ୍ବର : ପ୍ରଥମେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ଆଉ ଏବେ ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ନଜମାଙ୍କ ସାକ୍ଷାତ ଆଲୋଚନା ପରେ ରାଜନୈତିକ ମହଲରେ ଚର୍ଚ୍ଚା। କେସିଆର ଓ ନବୀନଙ୍କ ଭେଟଘାଟ୍ ଫେଡରାଲ ଫ୍ରଣ୍ଟ ଗଠନ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏତିକିବେଳେ ନଜମା ହେପାତୁଲ୍ଲା ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି।
ମଣିପୁର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ନଜମା ହେପତୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଜେପି ଉପସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ନିକଟରେ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ନବୀନଙ୍କ ସହ ଭେଟଘାଟ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଦଳୀୟ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ନାଁ ବି ନେଇ ନଥିଲେ ପ୍ରଧାନମନ୍ତ୍ରୀ।
ସେପଟେ ବିଜେପିର ଟାଣୁଆ ନେତା ରାମମାଧବ କହିଛନ୍ତି, ଏନଡିଏ ଫୋଲଡରୁ କିଛି ଦଳ ବାହାରି ଯାଉଥିବା ବେଳେ ଆଗାମୀ ଦିନରେ ପୂର୍ବ ଓ ଦକ୍ଷିଣ ଭାରତର କିଛି ନୂଆ ସହଯୋଗୀ ମେଣ୍ଟରେ ସାମିଲ ହେବେ। ଏଥିପାଇଁ ବିଜେପିର ରହିଛି ପ୍ଲାନ -ବି । ଏଭଳିସ୍ଥିତିରେ ନଜମା ନବୀନ ନିବାସ ଯାଇ ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ସମୀକରଣକୁ ଚର୍ଚ୍ଚା ଯୋଗାଇଛି। ତେବେ ବିଜେଡି କହିଛି, ଭେଟଘାଟ ଥିଲା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ।
ଅନ୍ଯପଟେ କିସ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି ମଣିପୁୁର ରାଜ୍ୟପାଳ ଡ. ନଜମ୍ମା ହେପତୁଲା । କିସରେ ପହଁଚିବା ପରେ ତାଙ୍କୁ କିସ ଛାତ୍ରୀମାନେ ଚନ୍ଦନ ଲଗାଇବା ସହ ଫୁଲମାଳ ପ୍ରଦାନ କରି ସ୍ୱାଗତ କରିଥିଲା । ପରେ ପରେ କୁନି କୁନି ଆଦିବାସୀ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ ମଣିପୁର ରାଜ୍ୟପାଳ । ସମାଜର ଉନ୍ନତି ପାଇଁ ଶିକ୍ଷା ଏକ ବଳିଷ୍ଠ ମାଧ୍ୟମ । ଲକ୍ଷ୍ୟ ସ୍ଥିର ରଖି କଠିନ ପରିଶ୍ରମ କରିବାକୁ ପିଲାମାନଙ୍କୁ ଉପଦେଶ ଦେଇଥିଲେ ନଜମ୍ମା।