ସରିଲା ମନୀଷ ଅନୁରାଗଙ୍କ ପୋଷ୍ଟମର୍ଟମ, ଭିଷେରା ଓ ଡାଏଟମ୍‌ ଟେଷ୍ଟ ପାଇଁ ନମୂନା ପଠାଇବ ପୋଲିସ୍‌

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ବରିଷ୍ଠ ସାମ୍ବାଦିକଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତକ ହେଲେ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ । ମୃତଦେହ ଉଦ୍ଧାର ପରେ ଏମ୍ସରେ ମନିଷଙ୍କ ପୋଷ୍ଟମର୍ଟମ କରାଯାଇଛି । ଏବେ ଭିଷେରା ଓ ଡାଏଟମ୍‌ ଟେଷ୍ଟ ପାଇଁ ନମୂନା ପଠାଇବ ପୋଲିସ୍‌ ।

ଯେଉଁ ଦୁଇଜଣ ଯୁବକଙ୍କ ସହ ମନିଷ ଗାଡିରେ ଯାଇଥିଲେ, ସେମାନଙ୍କୁ ଖୋଜୁଛି ପୋଲିସ୍‌ । ଏ ପର୍ଯ୍ୟନ୍ତ ମନିଷଙ୍କ ମୋବାଇଲ ଠାବ ହୋଇନି । ଗତ ଶନିବାର ରାତିରୁ ନିଖୋଜ ଥିଲେ ମନୀଷ । ଗତକାଲି ତାଙ୍କ ମୃତଦେହ ଏକ ପୋଖରୀ ଭିତରୁ ଉଦ୍ଧାର ହୋଇଥିଲା । ତେବେ ମନୀଷଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ସବୁ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ସେହିପରି ତଦନ୍ତ ପାଇଁ ହୋଟେଲ୍ ସାଉଥ ସିଟି ସିଲ୍ କରିଛି କମିଶନରେଟ୍ ପୋଲିସ। ମୃତ୍ୟୁ ପୂର୍ବରୁ ହୋଟେଲକୁ ଆସିଥିଲେ ମନୀଷ, ବିଳମ୍ବିତ ରାତି ଯାଏଁ ହୋଟେଲରେ ଥିଲେ ମନୀଷ। ଯାହାଫଳରେ ହୋଟେଲକୁ ସିଲ୍ କରି ଯାଞ୍ଚ କରୁଛି ପୋଲିସ। ଅନ୍ଯପଟେ ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଭିଡିଓ ରିଲିଜ୍ କରି ମନକଥା ଜଣାଇଛନ୍ତି । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ହତ୍ୟା କରିଥିବା କହିଛନ୍ତି ।

ସୂଚନା ଥାଉକି,  ଗତକାଲି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଦେଖିବାକୁ ମିଳିଛି । ମୃତ ଯୁବକ ମନିଷ ଅନୁରାଗଙ୍କ ବୋଲି ଜଣାପଡିଛି  । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ନମକାଣି ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖାଯାଇଥିଲା । ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ତେବେ ମନିଷଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଗତକାଲି ସଂଧ୍ୟାରେ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା ବୋଲି କୁହାଯାଉଛି । ତେଣୁ ତାଙ୍କୁ କିଏ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.