ପୁଣି ଥରେ ବିଜେପି ସଭାପତି ହୋଇପାରନ୍ତି ମନମୋହନ ସାମଲ, ଗୋଲକ ମହାପାତ୍ର ବି ଚର୍ଚ୍ଚାରେ, ପିସିସିରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ

ଭୁବନେଶ୍ୱର : ପୁଣି ଥରେ ରାଜ୍ୟ ବିଜେପି ସଭାପତି ହୋଇପାରନ୍ତି ମନମୋହନ ସାମଲ । ତାଙ୍କ ଉପରେ ଶୀର୍ଷ ନେତୃତ୍ବ ଭରସା କରିବା ସମ୍ଭାବନା ଅଧିକ । ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଜୋର ଧରିଥିବା ବେଳେ ମନମୋହନ ସାମଲ ରେସରେ ଆଗରେ ଥିବା କୁହାଯାଉଛି । ମନମୋହନଙ୍କ ବ୍ୟତୀତ ଗୋଲକ ମହାପାତ୍ରଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ଖୁବ ଶୀଘ୍ର ବିଜେପିର ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଷଡ଼ଙ୍ଗୀ ।
ସହମତିରେ ନାଁ ଘୋଷଣା ହେବ । ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ । ପାର୍ଲାମେଣ୍ଟାରୀ କାର୍ଯ୍ୟବ୍ୟସ୍ତତା ପାଇଁ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହୋଇଛି । କାଗଜପତ୍ର ଯାଞ୍ଚ ଚାଲିଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲା ସଭାପତି ନାଁ ସାମ୍ନାକୁ ଆସିବ। ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ୨୦୨୩ ମାର୍ଚ୍ଚ ୨୪ରେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନେଇଥିଲେ ମନମୋହନ ସାମଲ। ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ବୈତରଣୀ ପାର ହେବା ସହ ସରକାର ଗଠନ କରିଛି । ଆହୁରି ପ୍ରାୟ ବର୍ଷେ ମନମୋହନଙ୍କ କାର୍ଯ୍ୟକାଳ ଥିବାରୁ ତାଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିପାରେ କେନ୍ଦ୍ରୀୟ ବିଜେପି । ଯଦି ନେତୃତ୍ବ ପରିବର୍ତ୍ତନ ହୁଏ ତେବେ ଗୋଲକ ମହାପାତ୍ରଙ୍କ ନାଁ ଆଗରେ ରହିଛି ।
ପିସିସି ସଭାପତିଙ୍କ ନାଁ ମଧ୍ୟ ଚୂଡାନ୍ତ ସରିଛି। ଏବେ କେବଳ ବିଧିବଦ୍ଧ ଘୋଷଣାକୁ ବାକି ରହିଥିବା ଜଣାପଡିଛି । ଚର୍ଚ୍ଚାରେ ଆଗରେ ରହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ପୂର୍ବତନ ବିଧାୟକ ମହମ୍ମଦ ମୋକ୍କିମଙ୍କ ବି ରେସରେ ରହିଛି। ଯୁବ ନେତୃତ୍ବ ଉପରେ ଏଆଇସିସି ଭରସା କରୁଥିବା ଜଣାପଡ଼ିଛି । ଲଗାତାର ଦୁଇଥର ୨୦୧୯ ଓ ୨୦୨୪ ରେ କୋରାପୁଟ ଆସନରୁ ସାଂସଦ ଭାବେ ବିଜୟୀ ହୋଇଛନ୍ତି ସପ୍ତଗିରି ଉଲ୍ଲାକା ।
ରାଜ୍ୟରେ ଜଣେ ଆଦିବାସୀ ଚେହେରା ମୁଖ୍ୟମନ୍ତ୍ରୀ ଥିବାରୁ କଂଗ୍ରେସ ବି ପିସିସି ସଭାପତି ଭାବେ ଆଦିବାସୀ ଚେହେରା ଉପରେ ଜୋର ଦେଉଥିବା ଜଣାପଡ଼ିଛି । ଜଣେ ଦକ୍ଷ ସଙ୍ଗଠକ ଭାବେ ମୋକିମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଯଦି ସପ୍ତଗିରି ପିସିସି ସଭାପତି ହୁଅନ୍ତି ତେବେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ହେବା ସମ୍ଭାବନା ଅଧିକ । ଉଭୟ ସପ୍ତଗିରି ଓ ରାମଚନ୍ଦ୍ର କାଡ଼ାମ କୋରାପୁଟ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି । ଦିନେ ଦୁଇଦିନ ଭିତରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯାଉ। କର୍ମୀମାନେ ନୂଆ ଜୋସରେ କାମ କରିବା ସହ ସରକାରଙ୍କ ଉପରେ ଚାପ ପଡିବ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ଏବେ ଚାଲିଛି ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ଏବେ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ଚାଲିଛି। ପରେ ହେବ ରାଜ୍ୟ ସଭାପତି ନିର୍ବାଚନ। ସେପଟେ ସାଧାରଣ ନିର୍ବାଚନର ଫଳାଫଳ ପରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଛି ଏଆଇସିସି। ଏବେ ଷ୍ଟିୟରିଂ କମିଟି ଦ୍ବାରା ରାଜ୍ୟ କଂଗ୍ରେସ ପରିଚାଳିତ ହେଉଛି।