ଦାୟିତ୍ବ ଗ୍ରହଣ ପରେ ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ପୁରୀ: ଦାୟିତ୍ବ ଗ୍ରହଣ ପରେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ତାଙ୍କୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ଓ ସେବାୟତମାନେ ସ୍ୱାଗତ କରିଥିଲେ । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ଅଣସର ଘରେ ଚିକିତ୍ସା ଚାଲିଛି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପଟି ଦିଅଁ ରୂପେ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ବରୀଙ୍କୁ ଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ । ମହାପ୍ରଭୁଙ୍କ ପଟି ଦିଅଁ ରୂପ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଥିବା କହିଛନ୍ତି ମନୋଜ ଆହୁଜା । ନୂଆ ଦାୟିତ୍ଵ ନେଇ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ । ଆଗାମୀ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ସଂପନ୍ନ ହେବ, ରାଷ୍ଟ୍ରପତିଙ୍କ ଗସ୍ତ କିଭଳି ସଫଳ ହେବ ସେ ନେଇ ଖୁବ୍ ଶୀଘ୍ର ବୈଠକ କରିବେ ବୋଲି କହିଛନ୍ତି ।