ଝୋଟ ବ୍ୟାଗ ତିଆରି କରି ବେଶ ଚର୍ଚ୍ଚା ସାଉଁଟୁଛନ୍ତି ମାନସୀ, ଅନ୍ୟଙ୍କୁ ଯୋଗାଉଛନ୍ତି ରୋଜଗାରର ପନ୍ଥା

ଗୋପ: ନାରୀ ଦୁର୍ବଳା ନୁହେଁ ସବଳା । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସୁବର୍ଣ୍ଣପୁରର ମାନସୀ ପୃଷ୍ଟି । ଚାକିରୀ ଛାଡି ସିଲେଇ ମେସିନ ଦ୍ୱାରା ନିଜେ ରୋଜଗାର କରି ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଇପାରିଛନ୍ତି ମାନସୀ । ୨୦୧୩ ମସିହା ଗୋପ ସୁବର୍ଣ୍ଣପୁରଠାରେ ମାନସୀ ମାତ୍ର ୫୦୦୦ ଟଙ୍କାରୁ ୩୫ ଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ଓମ ଗାୟତ୍ରୀ ଝୁଟ କ୍ଲଷ୍ଟର ନାମକ ଏକ ସଂସ୍ଥା । ସିଲେଇ ମେସିନ ଦ୍ୱାରା ଝୋଟରେ ନିର୍ମିତ ବିଭିନ୍ନ ପ୍ରକାର ବ୍ୟାଗର ବଜାରରେ ଚାହିଦା ବଢ଼ିବାରୁ କିଛି ବଡ଼ କରିବାକୁ ଭାବିଥିଲେ ମାନସୀ ।
ଯାହାପରେ ଓଡିଶା ଲାଇଭ ହୁଡ ମିଶନରୁ ୨ ଲକ୍ଷ ୭୫ ଟଙ୍କା ଋଣ ଆଣିଥିଲେ । ଏହାପରେ କୋଣାର୍କ ମାଧିପୁରଠାରେ ଅଧିକ ମେସିନ ପକାଇ ଉତ୍ପାଦନ ବଢ଼ାଇବା ସହିତ ଏବେ ୫୦ରୁ ଉର୍ଦ୍ଧ ମହିଳାଙ୍କୁ ରୋଜଗାର ଦେଇପାରୁଛନ୍ତି । ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମହିଳାମାନେ ଏଠାରେ ତାଲିମ ପାଇବାପରେ ସିଲେଇ ମେସିନ ଦ୍ୱାରା ଭଲ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଗ୍ରାମାଞ୍ଚଳର ଭିନ୍ନ ଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଝୋଟ ବ୍ୟାଗର ବଜାରରେ ବେଶ ଅଧିକ ଚାହିଦା ରହିଛି ।
ତେଣୁ ଏହି ସାମଗ୍ରୀ ବିକ୍ରୟ ପାଇଁ ମହିଳାମାନେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଏହା ବ୍ୟତୀତ ତାଲିମ ଦେଇଥିବା ତାଲିମଦାତାଙ୍କ ସହାୟତାରେ ଆମାଜନ, ଫ୍ଲିପକାର୍ଟ ଭଳି ଅନଲାଇନରେ ବ୍ୟାଗ ବିକ୍ରୟ କରି ଅଧିକ ଲାଭବାନ ହୋଇପାରୁଛନ୍ତି । ମାନସୀଙ୍କ ଏଭଳି ଏକ ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା । ନିଷ୍ଠାପର ଉଦ୍ୟମ ଓ ମହିଳାମାନଙ୍କ ଆଗ୍ରହ ଯୋଗୁଁ ଏହି ହସ୍ତଶିଳ୍ପ ସାମଗ୍ରୀ ଗ୍ରାମାଞ୍ଚଳର ଶତାଧିକ ମହିଳାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଦେଇଛି ।
Also read: ଚଳିତ ରଥଯାତ୍ରା ହେବ ଆହୁରି ଶୃଙ୍ଖଳିତ: ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ, ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା