ଅବ୍ୟବସ୍ଥା ଘେରରେ ଚାନ୍ଦପୁରର ନବନିର୍ମିତ ବସନ୍ତ ମଞ୍ଜରୀ ଡାକ୍ତରଖାନା,  ୧୧ ଦଫା ଦାବି ନେଇ ଧାରଣା ଦେଲେ ଗ୍ରାମବାସୀ

ଟାଙ୍ଗୀ(କେନ୍ୟୁଜ୍):  ଓଡିଶାର  ସର୍ବପୁରାତନ ବସନ୍ତ ମଞ୍ଜରୀ  ଯକ୍ଷ୍ମା ଚିକିତ୍ସାଳୟକୁ  ସାଧାରଣ ଚିକିତ୍ସାଳୟରେ  ପରିବର୍ତ୍ତନ କରିବା ପରେ ପିଛା ଛାଡୁନି ସମସ୍ୟା। ଏଥିପାଇଁ  ରାଜ୍ୟ ସରକାର  ଦୃଷ୍ଟି  ଦେବାକୁ  ଅଞ୍ଚଳବାସୀଙ୍କ ଦାବି। ଏଥିନିମନ୍ତେ ୧୧ ଦଫା ଦାବିନେଇ ଆଜି  ଡାକ୍ତରଖାନା ଗେଟ ସମ୍ମୁଖରେ ଧାରଣା ଦେଲେ ଶତାଧିକ  ଅଞ୍ଚଳବାସୀ। ୧୯୫୮ ମସିହାରୁ ନୟାଗଡ ଜିଲ୍ଲା ଚାନ୍ଦପୁରରେ  ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ତତ୍କକାଳୀନ ରଣପୁରଗଡର ରାଣୀ ବସନ୍ତ ମଞ୍ଜରୀ ଦେବୀ ଏହାକୁ  ନିର୍ମାଣ କରିଥିଲେ। ସେବେଠାରୁ ଡାକ୍ତରଖାନାଟିରେ କେବଳ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇ ଆସୁଥିଲେ ।

କିନ୍ତୁ  ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି  ଡାକ୍ତରଖାନାଟିକୁ  ସାଧାରଣ ଡାକ୍ତରଖାନାରେ ପରିଣତ  କରିବା ପାଇଁ  ଘୋଷଣା କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା। କାହିଁକି ନା ଅପତ୍ତକାଳୀନ ରୋଗୀ ସେବା  ପାଇଁ  ଚାନ୍ଦପୁର ଓ ଏହାର ଆଖପାଖର ଲୋକେ ଟାଙ୍ଗୀ ଡାକ୍ତରଖାନା ଉପରେ  ନିର୍ଭର କରି ଚଳୁଥିଲେ। ହେଲେ ଚାନ୍ଦପୁର ଡାକ୍ତରଖାନାଟି ସାଧାରଣ ଡାକ୍ତରଖାନରେ ପରିଣତ ହେବା  ପରେ ମଧ୍ୟ ଯୋଗାଇ  ପାରୁନାହିଁ ଉନ୍ନତ ସେବା । ଯେଉଁଥିପାଇଁ ଧାରଣାରେ ବସିଥିଲେ ଅଞ୍ଚଳବାସୀ।

ଗତ କିଛି  ମାସ  ହେବ ଏହି ଡାକ୍ତରଖାନଟି ଔପଚାରିକ ଭାବେ  ସାଧାରଣ ଡାକ୍ତରଖାନାରେ ମାନ୍ୟତା ପାଇଥିଲା। କିନ୍ତୁ ସାଧାରଣ ଡାକ୍ତରଖାନା ହେବା ପରେ ମଧ୍ୟ ଅବ୍ୟବସ୍ଥା  ପିଛା  ଛାଡୁନାହିଁ।  ଯେିମତିକି  ହସ୍ପିଟାଲରେ  ପ୍ରାଥମିକ ଚିକିତ୍ସା  ବାବଦକୁ  ଆବଶ୍ୟକୀୟ ଔଷଧ, କୁକୁର କାମୁଡା ଭାକ୍ସିନ, ଦୁର୍ଘଟଣା  ଜନିତ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ ମଧ୍ୟ ମହଜୁଦ ରହୁନାହିଁ। ଅଞ୍ଚଳବାସୀ ବାରମ୍ବାର ଏସମ୍ପର୍କରେ  ଡାକ୍ତରଖାନାର ଅଧିକ୍ଷକଙ୍କୁ ଅଭିଯୋଗ କଲେ ମଧ୍ୟ କିଛି  ସୁଫଳ  ମିଳୁନିଥବା ଅଭିଯୋଗ କରିଛନ୍ତି।  ସେମାନଙ୍କ କହିବା କଥା ହେଲା  ଡାକ୍ତରଖାନାଟି ଯେଉଁ ଯକ୍ଷ୍ମା ରୋଗର ଚିକିତ୍ସା  ପାଇଁ ପ୍ରସିଦ୍ଧ ଥିଲା  ଆଜି ସେଠାରେ ଜଣେ  ବି ଯକ୍ଷ୍ମା ଡାକ୍ତର ନାହାନ୍ତି।

ଡାକ୍ତରଖାନାଟିରେ ନିଜସ୍ବ  ଅପରେସନ ଥିଏଟର ଥିଲେ ମଧ୍ୟ ଗର୍ଭବତୀଙ୍କ  ଡେଲିଭରି  କରୁନାହାନ୍ତି ଡାକ୍ତର। ପଚାରିଲେ  ଉତ୍ତର ମିଳୁଛି  ଓଟି  ପାଇଁ ଆବଶ୍ୟକୀୟ ସରଞ୍ଜାମ  ସରକାର ଯୋଗାଇ ଦେଉନାହାନ୍ତି। ଏବଂ ଆନେସ୍ଥେସିୟା ଡାକ୍ତର ଜଣେ  ମଧ୍ୟ ଦେଉନାହାନ୍ତି  । ଯାହାଫଳରେ  କିଛି ବି  ଅପରେସନ କରିବା ସମ୍ଭବପର ହେଉନାହିଁ । ତେଣୁ ବାଧ୍ୟ ହୋଇ ଚାନ୍ଦପୁର  ଓ  ଏହାର  ଆଖାପାଖର ଲୋକେ କିଛି ବି ଅସୁସ୍ଥ କିମ୍ବା ଦୁର୍ଘଟଣାରେ ପୀଡିତ ହେଲେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ  ନିର୍ଭର  କରୁଛନ୍ତି।  ଏଣୁ  ଯଥା ଶିଘ୍ର ସରକାର  ଏଥିପ୍ରତି  ଯତ୍ନବାନ ହୋଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ  ତରଫରୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.