କାଳବୈଶାଖୀରେ ନଷ୍ଟ ହୋଇ ଯାଇଛି ଅନେକ ଘର, ବେସାହାରା ହେଲେ ଗରିବ ପରିବାର

ଭଂଜନଗର: କାଳ ହେଲା, କାଳବୈଶାଖୀ । ଉଡ଼େଇ ନେଲା ଘର ଛପର । ବେସାହାରା କରିଦେଲା ଗାଁର ଅଧିକାଂଶ ଗରିବ ପରିବାରଙ୍କୁ । ପାଗ ବଦଳିବା ପରେ, ଖୋଲା ଆକାଶ ତଳେ ପିଲାଛୁଆଙ୍କୁ ନେଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ । କିଏ ଉଡି ଯାଇଥିବା ଟିଣ ଛପରକୁ ସଜାଡୁଛି ତ କିଏ ଜରି-ପାଲ ତଳେ ପିଲାଛୁଆଙ୍କୁ ନେଇ ଦିନ ବିତାଉଛି । କାହାର ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି ତ, କିଏ ଅନ୍ୟର ଘର-ଛାତ ତଳେ ଆଶ୍ରୟ ନେଉଛି । ଏ ହେଉଛି ଗତ ଦିନରେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ଗାଲେରୀ ପଞ୍ଚାୟତ, ମସ୍କାବାଡି ଗାଁର ଚିତ୍ର ।
ଏହି ପଞ୍ଚାୟତର ହରିଗଡ ନିକଟସ୍ଥ ଗୋଳାବନ୍ଧ ଏବଂ ମସ୍କାବାଡି ଗାଁର ଅଧିକାଂଶ ଘର, କାଳବୈଶାଖୀ ପ୍ରଭାବରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଉଭୟ ଗାଁର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଗରିବ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ପିଲାଙ୍କ ପାଠପଢା ଠାରୁ ଆରମ୍ଭକରି, ସେମାନଙ୍କ ଦୈନନ୍ଦିନ ଜୀବିକା ପ୍ରଭାବିତ ହୋଇଛି । ଦି’ଓଳି ଖାଇବା ଯୋଗାଡ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏଭଳି ପରିସ୍ଥିତିରେ ଗାଲେରୀ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା କରାଯାଇଛି ।
ଖବରପାଇ ସ୍ଥାନୀୟ ବିଡିଓ ଏବଂ ତହସିଲଦାର ସେହି ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବିପନ୍ନ ପରିବାରମାନଙ୍କୁ ତିନିଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବା ସହ, ଅନ୍ତୋଦୟ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ କହିଥିଲେ ।
ଅଦିନିଆ ବର୍ଷା ଛାଡିଛି, କାଳବୈଶାଖୀର ଭୟ ବି’ କମିଛି ସତ । ତଥାପି ଅସହ୍ୟ ହୋଇପଡିଛି ଦିନର ତାତି ଏବଂ ରାତିର ଗୁଳୁଗୁଳି । ଏବେ ସ୍ଥାନୀୟ ପ୍ରଶାସନ, କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ଯଥାଶୀଘ୍ର ଘର ଏବଂ ସରକାରୀ ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି ।